ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଯାଇଛନ୍ତି ବସରେ ଥିବା ୬୦ ଜଣ ତୀର୍ଥଯାତ୍ରୀ। ସିମୁଳିଆ ଇଲେକ୍ଟ୍ରି ଅଫିସ ନିକଟରେ ଡାଇଭର୍ସନ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, କୋଲକାତା ହୁଗୁଳି ଚଣ୍ଡୀକଳାରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲା ‘ଓଡ଼ିଶୀ’ ନାମକ ତୀର୍ଥଯାତ୍ରୀ ବସ। ତେବେ ଇଲେକ୍ଟ୍ରି ଅଫିସ ନିକଟସ୍ଥ ଡାଇଭର୍ସନରେ ହଠାତ୍ ବସଟି ଖରାପ ହୋଇ ବନ୍ଦ ହୋଇଯାଇଥିଲା। ବସକୁ ଠେଲି ଠେଲି ଷ୍ଟାର୍ଟ କରିବାକୁ ଉଦ୍ୟମ କରାଯାଉଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ଛିଡ଼ା ହୋଇଥିବା ତୀର୍ଥଯାତ୍ରୀ ବସକୁ ସାଇଡ୍ ମାରିଥିଲା। ଧକ୍କା ପରେ ଟ୍ରକ୍ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଅନ୍ୟପଟେ, ଘଟଣା ପରେ ଏକ ଟ୍ୟାଙ୍କର ମଧ୍ୟ ସେଠାରୁ ପଳାଇ ଯାଇଥିବା ସୂଚନା ମିଳିଛି। ତେବେ ସବୁଠାରୁ ଆଶ୍ୱସ୍ତିର ବିଷୟ, ବସରେ ଥିବା ସମସ୍ତ ୬୦ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାର କାରଣ ଏବଂ ଘଟଣାରେ ସମ୍ପୃକ୍ତ ଯାନବାହନ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।














Leave a Reply