ଅକ୍ଷର ବ୍ୟୁରୋ: ପୁଣି ଚର୍ଚ୍ଚାରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ। ହଷ୍ଟେଲ୍ ପ୍ରଶାସନରେ ବଡ଼ଧରଣର ପରିବର୍ତ୍ତନ ପରେ ମଧ୍ୟ ବିଶ୍ୱବିଦ୍ୟାଳୟକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଚିଫ୍ ୱାର୍ଡେନ୍ଙ୍କଠାରୁ ଆରମ୍ଭ କରି ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ ସ୍ତରରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ପ୍ରାଧ୍ୟାପକ ଓ ବିଧାୟକଙ୍କୁ ନେଇ ଉପୁଜିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଏହି ପ୍ରସଙ୍ଗରେ ଆଜି ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ସଂଘ ସାମୂହିକ ଭାବେ କୁଳପତିଙ୍କୁ ଭେଟିବାକୁ ଯାଉଛି। ଅପରାହ୍ନ ୩ଟାରେ କୁଳପତିଙ୍କ ସହ ପ୍ରାଧ୍ୟାପକମାନେ ଆଲୋଚନା କରିବେ। ପ୍ରାଧ୍ୟାପକମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ସହ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ସଂଘ ପକ୍ଷରୁ କୁଳପତିଙ୍କ ନିକଟରେ ଉଠାଯିବା ସମ୍ଭାବନା ରହିଛି।
ଅନ୍ୟପଟେ ରେଭେନ୍ସା ସିନେଟ୍ରେ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ସାମିଲ କରାଯାଇନଥିବା ପ୍ରସଙ୍ଗ ବିବାଦକୁ ଆହୁରି ତୀବ୍ର କରିଛି। ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ତର୍କ-ବିତର୍କ ଆରମ୍ଭ ହୋଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ବିଶ୍ୱଜିତ୍ ମହାନ୍ତି ଏହି ପ୍ରସଙ୍ଗରେ କୁଳପତିଙ୍କୁ ଟାର୍ଗେଟ୍ କରିଛନ୍ତି। ସିନେଟ୍ରେ କଟକ ସଦର ବିଧାୟକଙ୍କୁ ସାମିଲ ନକରିବା ସହ ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦେବାରେ କୁଳପତି ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ କୁଳପତିଙ୍କ ଅପସାରଣ ଦାବି ମଧ୍ୟ କରିଛନ୍ତି। ସେପଟେ ସିନେଟ୍ ପ୍ରସଙ୍ଗରେ ରେଭେନ୍ସା ସୁରକ୍ଷା ମଞ୍ଚ ମଧ୍ୟ ଆପତ୍ତି ଉଠାଇଛି। ସିନେଟ୍ ତାଲିକାରେ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ସାମିଲ ନକରିବା ଦାବିରେ ମଞ୍ଚ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି। ଅର୍ଥାତ୍, ହଷ୍ଟେଲ୍ ପ୍ରଶାସନରେ ଆମୂଳଚୂଳ ପରିବର୍ତ୍ତନ ପରେ ମଧ୍ୟ ରେଭେନ୍ସାକୁ ଘେରି ବିବାଦ ଜାରି ରହିଛି। ଆଜି ପ୍ରାଧ୍ୟାପକ ସଂଘ ଓ କୁଳପତିଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ପରେ କ’ଣ ନିଷ୍ପତ୍ତି ଆସୁଛି ଏବଂ ସିନେଟ୍ ବିବାଦ କେଉଁ ମୋଡ଼ ନେଉଛି, ଏବେ ତା’ଉପରେ ସମସ୍ତଙ୍କ ନଜର।














Leave a Reply