ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ପରେ ନଦୀନାଳରେ ବଢ଼ିଛି ଜଳସ୍ତର। ଏହାରି ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅର୍ଗଳ ପଞ୍ଚାୟତ ଅଞ୍ଚଳର ମହାରା ନାଳରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ନାଳରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି।
ସୂଚନା ଅନୁସାରେ, ମହାରା ନାଳଟି ଖରସ୍ରୋତା ନଦୀରୁ ବାହାରିଛି। ଏହି ନାଳକୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ କାମରେ ବ୍ୟବହାର କରିଥାନ୍ତି। ଗତକାଲି କିଛି ଗ୍ରାମବାସୀ ନାଳ ନିକଟକୁ ଯାଇଥିବା ବେଳେ ପାଣିରେ କୁମ୍ଭୀର ଭାସୁଥିବା ଦେଖିଥିଲେ। ଏହାପରେ ଅଞ୍ଚଳରେ ଆତଙ୍କ ବଢ଼ିଛି। ଲଗାଣ ବର୍ଷା ଯୋଗୁଁ ଖରସ୍ରୋତା ନଦୀ ସମେତ ବିଭିନ୍ନ ନଦୀନାଳର ଜଳସ୍ତର ବୃଦ୍ଧି ପାଇଛି। ଏଭଳି ସମୟରେ ନଦୀରୁ କୁମ୍ଭୀର ନାଳ ଭିତରକୁ ଚାଲିଆସିଥିବା ଆଶଙ୍କା କରାଯାଉଛି। ନାଳଟିକୁ ଲୋକେ ନିୟମିତ ବ୍ୟବହାର କରୁଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଲୋକେ ବନବିଭାଗର ସହାୟତା ଲୋଡ଼ିଛନ୍ତି। କୁମ୍ଭୀରଟିକୁ ଉଦ୍ଧାର କରି ନିରାପଦ ସ୍ଥାନକୁ ନେବା ସହ ଲୋକଙ୍କୁ ସତର୍କ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।














Leave a Reply