ପୋଖରୀରେ ଗୋଡ଼ ଖସିଗଲା, ଚାଲିଗଲା ଜୀବନ: ଲମତାପୁଟରେ ମହିଳାଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ପୋଖରୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ମହିଳା ହେଉଛନ୍ତି ଲମତାପୁଟ ବ୍ଲକ କଡ୍ରିମାଳିପୁଟ ଗ୍ରାମର ଜନମତି ସୀସା।

ସୂଚନା ଅନୁସାରେ, ଜନମତି ପ୍ରତିଦିନ ଭଳି ଶୌଚ ହେବା ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ତେବେ ପୋଖରୀ ନିକଟରେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ଚାଲିଯାଇଥିବା ଜଣାପଡ଼ିଛି। ଜନମତି ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ। ଖୋଜାଖୋଜି ସମୟରେ ପୋଖରୀ କୂଳରେ ତାଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକେ ଲମତାପୁଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ଜନମତିଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଜନମତିଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଲମତାପୁଟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ କଡ୍ରିମାଳିପୁଟ ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial