ଅକ୍ଷର ବ୍ୟୁରୋ: ରାସ୍ତାରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅଧୀନ NH-143ର ଚାନ୍ଦିପୋଷ ମାର୍କେଟ୍ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ସକାଳୁ ସ୍ଥାନୀୟ ଲୋକେ ରାସ୍ତାରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଚାନ୍ଦିପୋଷ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନେଇ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ । ତେବେ ମୃତଦେହର ଅବସ୍ଥା ଏବଂ ଘଟଣାସ୍ଥଳର ପରିସ୍ଥିତିକୁ ନେଇ ଏହା ଦୁର୍ଘଟଣା ନା ହତ୍ୟା, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ଗୋଡ଼ରେ ଚପଲ ଥିବାବେଳେ ଦେହରେ ସାର୍ଟ ନଥିଲା । ମୃତଦେହଟି ପଲିଥିନରେ ଗୁଡ଼ା ହୋଇଥିବା ଦେଖିବାକୁ ମିଳିଛି । ଏହି କାରଣରୁ ମୃତଦେହକୁ କେହି ଅନ୍ୟତ୍ରରୁ ଆଣି ଏଠାରେ ଫୋପାଡ଼ି ଦେଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ତେବେ ଘଟଣାର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ମୃତକଙ୍କ ପରିଚୟ ଖୋଜିବାକୁ ଉଦ୍ୟମ ଚଳାଇଛି । ମୃତଦେହର ପରିଚୟ ଓ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।












Leave a Reply