ପାନପୋଷ ସର୍କିଟ୍ ହାଉସରୁ ବନ୍ଧୁକ ଜବତ, ୨ ଯୁବକ ଗିରଫ

ଅକ୍ଷର ବ୍ୟୁରୋ: ପାନପୋଷ ସର୍କିଟ୍ ହାଉସରୁ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ରଘୁନାଥପାଲି ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ରାଉରକେଲା ପ୍ଲାଣ୍ଟସାଇଟ୍ ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ବ୍ରହ୍ମପୁରର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ପାନପୋଷ ସର୍କିଟ୍ ହାଉସରେ ଗତ ଜୁଲାଇ ୨୧ ତାରିଖରୁ ଦୁଇଟି ସୁଇଟ୍ ବୁକ୍ ହୋଇଥିଲା। ଏହି ରୁମ୍‌ଗୁଡ଼ିକ ଜଣେ ଯୁବ ବିଜେପି ନେତାଙ୍କ ନାଁରେ ବୁକ୍ ହୋଇଥିବା ନେଇ ସୂଚନା ମିଳିଛି। ଗିରଫ ଦୁଇ ଯୁବକଙ୍କ ସହ ସଂପୃକ୍ତ ନେତା ମଧ୍ୟ ସର୍କିଟ୍ ହାଉସରେ ରହୁଥିବା କୁହାଯାଉଛି। ତେବେ ପ୍ରାୟ ୨୫ ଦିନ ଧରି ଦୁଇଟି ସୁଇଟ୍ କାହିଁକି ବୁକ୍ ହୋଇଥିଲା? ଏତେ ଦିନ ଧରି ସେଠାରେ କେଉଁମାନେ ରହୁଥିଲେ? ସର୍କିଟ୍ ହାଉସରେ ରହଣି ସମୟରେ ଆଉ କୌଣସି କାରବାର ଚାଲିଥିଲା କି? ଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

ସେପଟେ ଜବତ ହୋଇଥିବା ବନ୍ଧୁକକୁ ନେଇ ମଧ୍ୟ ତଦନ୍ତ ଜୋରଦାର କରିଛି ପୁଲିସ। ବନ୍ଧୁକଟି କେଉଁଠାରୁ ଆସିଲା, କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ସର୍କିଟ୍ ହାଉସକୁ ଅଣାଯାଇଥିଲା, ସେନେଇ ଖୋଳତାଡ଼ ଚାଲିଛି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ତାହା ମଧ୍ୟ ଯାଞ୍ଚ କରୁଛି ପୁଲିସ। ବନ୍ଧୁକ ଜବତ ଓ ଦୁଇ ଯୁବକଙ୍କ ଗିରଫ ପରେ ପାନପୋଷ ସର୍କିଟ୍ ହାଉସର ଦୀର୍ଘଦିନର ରହଣିକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ପୁଲିସର ତଦନ୍ତ ଆଗକୁ ବଢ଼ିବା ପରେ ହିଁ ଘଟଣା ପଛର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial