ଅକ୍ଷର ବ୍ୟୁରୋ: ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗରେ ସମାଜ ଆଗକୁ ବଢ଼ୁଛି। ହାତରେ ସ୍ମାର୍ଟଫୋନ୍, ଆଖି ଆଗରେ ଡିଜିଟାଲ ଦୁନିଆ। ହେଲେ ଆଜି ବି ସମାଜରୁ ସମ୍ପୂର୍ଣ୍ଣ ଦୂର ହୋଇପାରିନି ଅନ୍ଧବିଶ୍ୱାସ, କୁସଂସ୍କାର ଓ ଜାତିଭେଦ। କଟକ ଜିଲ୍ଲା ନରସିଂହପୁର ବ୍ଲକ କାଠଖୁଣ୍ଟ ପଞ୍ଚାୟତ ଅନ୍ତର୍ଗତ ସୁବଳୟା ବାଲିଡିହ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ପୁଣିଥରେ ସମାଜର ମାନସିକତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି।
ଗାଁର କିଶୋର ଦଳେଇଙ୍କ ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକେ ଶବ ସତ୍କାର ପାଇଁ ତାଙ୍କ ମରଶରୀରକୁ ଘରକୁ ଆଣିଥିଲେ। ହେଲେ ମୃତ୍ୟୁ ପରେ ମଧ୍ୟ ପରିବାରକୁ ମିଳିଲାନି ସାମାଜିକ ସହଯୋଗ। ‘ମାଛିଆପାତକ’ ଭଳି ପ୍ରଚଳିତ ଅନ୍ଧବିଶ୍ୱାସକୁ ଆଶ୍ରୟ କରି ଗ୍ରାମବାସୀ, ପରିବାରର କିଛି ସଦସ୍ୟ, ବନ୍ଧୁ ଓ ପଡ଼ୋଶୀ ଶବକୁ କାନ୍ଧ ଦେବାକୁ ଆସିନଥିବା ଅଭିଯୋଗ ହୋଇଛି। ସମାଜର ସହଯୋଗ ନମିଳିବାରୁ ମୃତକଙ୍କ ପରିବାର ଅସହାୟ ହୋଇପଡ଼ିଥିଲେ। ଏପଟେ ବାହାରେ ଜାରି ରହିଥିଲା ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଓ ଝଟକା ପବନ। ଏଭଳି ପ୍ରତିକୂଳ ପରିସ୍ଥିତିରେ ଶବ ସତ୍କାର କିପରି ହେବ, ତାହା ନେଇ ପରିବାର ଚିନ୍ତାରେ ପଡ଼ିଥିଲେ।
ଖବର ପାଇବା ପରେ ମାନବିକତାର ହାତ ବଢ଼ାଇଲା ସାମାଜିକ ଅନୁଷ୍ଠାନ ‘ମୁକ୍ତି’। ସଂଗଠନର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ସହ ଅନ୍ୟ ସଦସ୍ୟମାନେ ପ୍ରତିକୂଳ ପାଗକୁ ଖାତିର ନକରି ତୁରନ୍ତ ବାଲିଡିହରେ ପହଞ୍ଚିଥିଲେ। ସାମାଜିକ ସଂଗଠନର ସଦସ୍ୟମାନେ ମୃତକଙ୍କ ଶବକୁ କାନ୍ଧ ଦେବା ସହ ତାଙ୍କର ଅନ୍ତିମ ସତ୍କାର କରିଥିଲେ। ଯେତେବେଳେ ଅନ୍ଧବିଶ୍ୱାସ ମାନବିକତାକୁ ପଛରେ ପକାଇଦେଇଥିଲା, ସେତେବେଳେ ‘ମୁକ୍ତି’ ସଂଗଠନର ସଦସ୍ୟମାନଙ୍କ ଏହି ପଦକ୍ଷେପ ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି। ଘଟଣାଟି କେବଳ ଏକ ପରିବାରର ଦୁଃଖକୁ ସାମ୍ନାକୁ ଆଣିନାହିଁ, ବରଂ ଆଜିର ସମାଜରେ ଏବେ ବି ରହିଥିବା ଅନ୍ଧବିଶ୍ୱାସ ଓ ଜାତିଭେଦ ଭଳି କୁସଂସ୍କାର ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଡିଜିଟାଲ ଯୁଗରେ ବିଜ୍ଞାନ ଯେଉଁଠି ମଣିଷର ଜୀବନକୁ ନୂଆ ଦିଗ ଦେଉଛି, ସେଠି ମୃତ୍ୟୁ ପରେ ମଧ୍ୟ ଜଣେ ମଣିଷର ଶବକୁ କାନ୍ଧ ଦେବାରୁ ଲୋକେ ଅନ୍ଧବିଶ୍ୱାସ ଯୋଗୁଁ ପଛକୁ ହଟିବା ଘଟଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏଭଳି କୁସଂସ୍କାର କେବେ ଦୂର ହେବ ଏବଂ ସମାଜ କେବେ ମାନବିକତାକୁ ସବୁଠାରୁ ଉପରେ ରଖିବ ସୁବଳୟା ବାଲିଡିହର ଏହି ଘଟଣା ଏବେ ସେହି ପ୍ରଶ୍ନ ଛାଡ଼ିଯାଇଛି।












Leave a Reply