E20 ପରେ ପୁଣି E10! ପୁରୁଣା ଗାଡ଼ି ପାଇଁ ସରକାରଙ୍କ ବଡ଼ ପ୍ଲାନ୍‌, ଆରମ୍ଭ ହେଲା ଆଲୋଚନା

ଅକ୍ଷର ବ୍ୟୁରୋ: E20 ପେଟ୍ରୋଲକୁ ନେଇ ଦେଶରେ ଚାଲିଥିବା ବିତର୍କ ମଧ୍ୟରେ ଏବେ ପୁଣି ଚର୍ଚ୍ଚାକୁ ଫେରିଛି E10 ପେଟ୍ରୋଲ। ପୁରୁଣା ଗାଡ଼ି ମାଲିକଙ୍କ ପାଇଁ E20 ସହ E10 ଭଳି କମ୍‌ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ଉପଲବ୍ଧ କରାଯାଇପାରିବ କି, ସେନେଇ ସରକାର ଓ ତେଲ ଶିଳ୍ପ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ଚାଲିଥିବା ଖବର ସାମ୍ନାକୁ ଆସିଛି। ତେବେ ଏନେଇ ଏଯାଏଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଏପ୍ରିଲ ୨୦୨୩ ପରଠାରୁ ନୂଆ ପେଟ୍ରୋଲ ଗାଡ଼ିଗୁଡ଼ିକୁ E20 ଅନୁକୂଳ କରି ଡିଜାଇନ୍‌ କରାଯାଉଥିବା ବେଳେ, ଏହା ପୂର୍ବରୁ ନିର୍ମିତ ଲକ୍ଷ ଲକ୍ଷ ପୁରୁଣା ଗାଡ଼ିକୁ ନେଇ ଇନ୍ଧନ ଅନୁକୂଳତା ଚର୍ଚ୍ଚା ତେଜିଛି। ବିଶେଷକରି ପୁରୁଣା ଯାନର ମାଇଲେଜ୍‌ ଓ କିଛି ଇନ୍ଧନ-ସିଷ୍ଟମ୍‌ କମ୍ପୋନେଣ୍ଟ ନେଇ ମାଲିକମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ସରକାରଙ୍କ ତଥ୍ୟ ଅନୁସାରେ, E20 ବ୍ୟବହାର କଲେ କିଛି ପୁରୁଣା ଗାଡ଼ିର ଫ୍ୟୁଏଲ୍‌ ଇକୋନୋମି ପ୍ରାୟ ୩ରୁ ୫ ପ୍ରତିଶତ କମିପାରେ। ଅନ୍ୟ ଏକ ସଂସଦୀୟ ଉତ୍ତରରେ ଯାନର ପ୍ରକାର ଓ ବୟସ ଅନୁସାରେ ପ୍ରଭାବ ୨ରୁ ୬ ପ୍ରତିଶତ ମଧ୍ୟରେ ଥାଇପାରେ ବୋଲି ଜଣାଯାଇଛି। ତେବେ ସରକାର ଓ ଅଟୋ ଶିଳ୍ପ ପକ୍ଷରୁ E20 ଯୋଗୁଁ ବ୍ୟାପକ ଇଞ୍ଜିନ୍‌ କ୍ଷତି ହେଉଥିବାର ପ୍ରମାଣ ମିଳିନାହିଁ ବୋଲି କୁହାଯାଇଛି।

E10 ପେଟ୍ରୋଲ ଉପଲବ୍ଧ ହେଲେ E20 ପାଇଁ ମୂଳତଃ ପ୍ରସ୍ତୁତ ନଥିବା ପୁରୁଣା ଯାନର କିଛି ମାଲିକଙ୍କୁ ବିକଳ୍ପ ମିଳିପାରେ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍‌ ମଧ୍ୟ ପୁରୁଣା ଯାନ ପାଇଁ E20 ସହ E10 ଉପଲବ୍ଧ କରାଇବାର ପକ୍ଷରେ ମତ ରଖିଛନ୍ତି। ତାଙ୍କ ମତରେ ଏହା ପୁରୁଣା ଯାନ ବ୍ୟବହାରକାରୀଙ୍କ ଚିନ୍ତା କମାଇବା ସହ ଇନ୍ଧନ ନୀତିର ପରିବର୍ତ୍ତନକୁ ଅଧିକ ସୁଗମ କରିପାରେ। ଦେଶରେ E10 ଓ E20 ଉଭୟକୁ ବ୍ୟାପକ ଭାବେ ଉପଲବ୍ଧ କରାଇବା ସହଜ ନୁହେଁ। ଦେଶରେ ୧ ଲକ୍ଷରୁ ଅଧିକ ରିଟେଲ୍‌ ଫ୍ୟୁଏଲ୍‌ ଆଉଟ୍‌ଲେଟ୍‌ ଥିବାରୁ ଅଲଗା ଇନ୍ଧନ ଷ୍ଟୋରେଜ୍‌, ପରିବହନ ଓ ବିତରଣ ବ୍ୟବସ୍ଥା କରିବାରେ ଅତିରିକ୍ତ ଲଜିଷ୍ଟିକ୍ସ ଓ ଖର୍ଚ୍ଚ ଲାଗିପାରେ। ସରକାର ଏହାକୁ E10 ପୁନଃପ୍ରଚଳନର ଏକ ମୁଖ୍ୟ ସମସ୍ୟା ଭାବେ ଦର୍ଶାଇଛି।

E20 ନୀତିକୁ ଜାରି ରଖିବା ପଛରେ ସରକାରଙ୍କ ମୁଖ୍ୟ ଯୁକ୍ତି ହେଉଛି—ଇଥାନଲ୍‌ ମିଶ୍ରଣ ଫଳରେ ଅଶୋଧିତ ତୈଳ ଆମଦାନି ଉପରେ ନିର୍ଭରଶୀଳତା କମାଇବା, କାର୍ବନ୍‌ ନିର୍ଗମନ ହ୍ରାସ କରିବା ଏବଂ ଦେଶୀୟ ଇଥାନଲ୍‌ ଉତ୍ପାଦନ ମାଧ୍ୟମରେ ଚାଷୀଙ୍କୁ ଲାଭ ଦେବା। ଭାରତ ୨୦୨୫-୨୬ରେ ୨୦ ପ୍ରତିଶତ ଇଥାନଲ୍‌ ବ୍ଲେଣ୍ଡିଂ ଲକ୍ଷ୍ୟ ହାସଲ କରିଛି, ଯାହା ନିର୍ଦ୍ଧାରିତ ସମୟର ପ୍ରାୟ ପାଞ୍ଚ ବର୍ଷ ଆଗରୁ ହୋଇଛି। ସରକାର ଆହୁରି କହିଛି ଯେ E20 ରୋଲ୍‌ଆଉଟ୍‌ ପୂର୍ବରୁ ଇଞ୍ଜିନ୍‌ ଡ୍ୟୁରାବିଲିଟି, ଫ୍ୟୁଏଲ୍‌ ସିଷ୍ଟମ୍‌, ରବର୍‌ କମ୍ପୋନେଣ୍ଟ, ଡ୍ରାଇଭେବିଲିଟି ଓ ନିର୍ଗମନ ନେଇ ବ୍ୟାପକ ପରୀକ୍ଷା କରାଯାଇଥିଲା। ଏକପଟେ E20 ନୀତି ନେଇ ସରକାରଙ୍କ ଶକ୍ତ ଯୁକ୍ତି ରହିଛି, ଅନ୍ୟପଟେ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ବିକଳ୍ପ E10 ଦାବି ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ତେବେ E10 ପେଟ୍ରୋଲକୁ ପୁଣି ବଜାରରେ ଅଣାଯିବ କି ନାହିଁ, ଆସିଲେ କେବେ ଏବଂ କିପରି ଉପଲବ୍ଧ ହେବ—ଏସବୁ ପ୍ରଶ୍ନର ଉତ୍ତର ଏବେ ସରକାରୀ ନିଷ୍ପତ୍ତି ଉପରେ ନିର୍ଭର କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial