PNB ଗ୍ରାହକଙ୍କ ପାଇଁ ବଡ଼ ଖବର: ସେପ୍ଟେମ୍ବର ୧୩ ପରେ ବନ୍ଦ ହୋଇପାରେ କିଛି ଆକାଉଣ୍ଟ!

ଅକ୍ଷର ବ୍ୟୁରୋ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା PNB ଗ୍ରାହକଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌। ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିବା କିଛି ଆକାଉଣ୍ଟକୁ ନେଇ ବ୍ୟାଙ୍କ ପକ୍ଷରୁ ଆଲର୍ଟ ଜାରି ହୋଇଛି। ଆପଣଙ୍କ PNB ଆକାଉଣ୍ଟରେ ଦୀର୍ଘଦିନ ଧରି କୌଣସି କାରବାର ହୋଇନଥିଲେ ଏବଂ ବାଲାନ୍ସ ଶୂନ ଥିଲେ, ତେବେ ଆକାଉଣ୍ଟର ସ୍ଥିତି ଯାଞ୍ଚ କରିବା ଜରୁରୀ।

PNBର ସୂଚନା ଅନୁସାରେ, ୩୦ ଜୁନ୍‌ ୨୦୨୬କୁ ଆଧାର କରି ଯେଉଁ ଆକାଉଣ୍ଟରେ ଦୀର୍ଘ ସମୟ ଧରି କୌଣସି ଟ୍ରାଞ୍ଜାକ୍ସନ ହୋଇନାହିଁ ଏବଂ ବାଲାନ୍ସ ଶୂନ ରହିଛି, ସେଗୁଡ଼ିକୁ ବ୍ୟାଙ୍କର ଯାଞ୍ଚ ଅଧୀନରେ ରଖାଯାଇଛି। ଏହିପରି ଖାତା ବନ୍ଦ ହେବାର ସମ୍ଭାବନା ନେଇ ଗ୍ରାହକଙ୍କୁ ସତର୍କ କରାଯାଇଛି। PNBର ଉଦ୍ଦେଶ୍ୟ ହେଉଛି ଦୀର୍ଘ ସମୟ ଧରି ନିଷ୍କ୍ରିୟ ଓ ଶୂନ ବାଲାନ୍ସ ଥିବା ଖାତାର ସମ୍ଭାବ୍ୟ ଦୁରୁପଯୋଗକୁ ରୋକିବା ଏବଂ ସେଥିସହ ଜଡ଼ିତ ଆର୍ଥିକ ଓ ସୁରକ୍ଷାଜନିତ ବିପଦକୁ କମାଇବା। ତେଣୁ ନିର୍ଦ୍ଧାରିତ ମାନଦଣ୍ଡରେ ଆସୁଥିବା କିଛି ଆକାଉଣ୍ଟକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ହୋଇପାରେ।

ଆପଣଙ୍କର ପୁରୁଣା କିମ୍ବା ନିଷ୍କ୍ରିୟ PNB ଖାତା ରହିଥିଲେ ପ୍ରଥମେ ଏହାର ବର୍ତ୍ତମାନ ସ୍ଥିତି ଯାଞ୍ଚ କରନ୍ତୁ। ଆକାଉଣ୍ଟଟି ବ୍ୟାଙ୍କର ନିଷ୍କ୍ରିୟ ଖାତା ଶ୍ରେଣୀରେ ପଡ଼ୁଛି କି ନାହିଁ, ସେନେଇ ସମ୍ପୃକ୍ତ PNB ଶାଖା ସହ ଯୋଗାଯୋଗ କରିବା ସୁରକ୍ଷିତ ପଦକ୍ଷେପ। ଆବଶ୍ୟକ ହେଲେ KYC ଅପଡେଟ୍‌ କରି ଖାତାକୁ ପୁନଃ ସକ୍ରିୟ କରାଯାଇପାରେ। PNB ଓ RBIର ନିୟମ ଅନୁସାରେ ନିଷ୍କ୍ରିୟ ଖାତା ସକ୍ରିୟ କରିବା ପାଇଁ KYC ଅପଡେଟ୍‌ର ବ୍ୟବସ୍ଥା ରହିଛି। ଅନେକ ଗ୍ରାହକ ପୁରୁଣା ଜିରୋ-ବାଲାନ୍ସ କିମ୍ବା ଦୀର୍ଘଦିନ ବ୍ୟବହାର ନକରିଥିବା ଆକାଉଣ୍ଟକୁ ଭୁଲିଯାଇଥାନ୍ତି। ତେଣୁ PNBରେ ଏପରି ଆକାଉଣ୍ଟ ଥିଲେ ଏହାର ସ୍ଥିତି ବ୍ୟାଙ୍କ ମାଧ୍ୟମରେ ନିଶ୍ଚିତ କରିନିଅନ୍ତୁ। PNBର ଅଧିକୃତ ୱେବସାଇଟ୍‌ରେ ବ୍ୟାଙ୍କର ଗ୍ରାହକ ସେବା ନମ୍ବର ମଧ୍ୟ ଉପଲବ୍ଧ ଅଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial