ଭାବନଗରରେ ନକଲି ମଦ ମୃତ୍ୟୁ: ୨ ଜଣଙ୍କ ଜୀବନ ଗଲା, ୧୯ ଅସୁସ୍ଥ

ଅକ୍ଷର ବ୍ୟୁରୋ: ଗୁଜରାଟର ଭାବନଗର ଜିଲ୍ଲାରେ ନକଲି ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୯ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ପୁଲିସ ତଦନ୍ତ ତୀବ୍ର କରିଥିବାବେଳେ ୪ ଜଣ ସନ୍ଦିଗ୍ଧ ମଦ ବେପାରୀଙ୍କୁ ଅଟକ ରଖାଯାଇଛି। ଘଟଣାରେ ନକଲି ମଦର ଉତ୍ସ ଓ ଯୋଗାଣ ଶୃଙ୍ଖଳା ନେଇ ତଦନ୍ତ ଚାଲିଛି।ଭାବନଗର ଜିଲ୍ଲାପାଳ ମନୀଷ କୁମାରଙ୍କ ସୂଚନା ଅନୁସାରେ, ପ୍ରଭାବିତ ଲୋକମାନେ ଭାରତ ନିର୍ମିତ ବିଦେଶୀ ମଦ ବ୍ରାଣ୍ଡର ନକଲି ବୋତଲରୁ ମଦ ପିଇଥିବା ଅଭିଯୋଗ ରହିଛି। ପୁଲିସର ପ୍ରାଥମିକ ତଦନ୍ତରୁ ଏହି ନକଲି ବୋତଲଗୁଡ଼ିକ ମଧ୍ୟପ୍ରଦେଶରୁ ଆସିଥିବା ସନ୍ଦେହ କରାଯାଉଛି।

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, କିଛି ଦିନ ପୂର୍ବରୁ ଖରକଡି ଗାଁରେ କିଛି ଲୋକ ନକଲି ବୋତଲରୁ ମଦ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ପରେ ପ୍ରାଣ ହରାଇଥିଲେ। ଅନ୍ୟ ୬ ଜଣଙ୍କୁ ଭାବନଗରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ସାର୍ ଟି ହସ୍ପିଟାଲରେ ସନ୍ଦେହଜନକ ପରିସ୍ଥିତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଯାଞ୍ଚ କରାଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି।ଘଟଣା ପରେ ଭର୍ତେଜ୍‌ ସମେତ ଭାବନଗର ସହରର ବିଭିନ୍ନ ଥାନା ଅଞ୍ଚଳରେ ସକ୍ରିୟ ଥିବା ସନ୍ଦିଗ୍ଧ ମଦ ବେପାରୀଙ୍କ ଉପରେ ପୁଲିସ ଚଢ଼ାଉ କରିଛି। ଏପର୍ଯ୍ୟନ୍ତ ୪ ଜଣଙ୍କୁ ଅଟକ ରଖାଯାଇଥିବା ଏସ୍‌ପି ନିତେଶ ପାଣ୍ଡେ ସୂଚନା ଦେଇଛନ୍ତି।

ନକଲି ମଦ କେଉଁଠାରୁ ଆସିଥିଲା, କିଏ ଏହାକୁ ଯୋଗାଣ କରିଥିଲା ଏବଂ ଏହା ପଛରେ ଆଉ କେତେଜଣ ସମ୍ପୃକ୍ତ ଅଛନ୍ତି, ତାହା ନେଇ ତଦନ୍ତ ଚାଲିଛି। ଘଟଣାର ଗୁରୁତ୍ୱକୁ ଦେଖି ଫରେନସିକ୍ ଟିମ୍‌କୁ ତଦନ୍ତରେ ସାମିଲ କରାଯାଇଛି। ଜବତ ନମୁନା ଓ ବୋତଲଗୁଡ଼ିକର ଯାଞ୍ଚ ପରେ ମଦରେ କେଉଁ ବିଷାକ୍ତ ପଦାର୍ଥ ଥିଲା କିମ୍ବା ମୃତ୍ୟୁର ପ୍ରକୃତ କାରଣ କ’ଣ, ସେନେଇ ଅଧିକ ସ୍ପଷ୍ଟତା ମିଳିପାରେ। ଗୁଜରାଟରେ ମଦର ଉତ୍ପାଦନ, ବିକ୍ରି ଓ ସେବନ ଉପରେ ନିଷେଧ ଥିବା ସତ୍ତ୍ୱେ ଏଭଳି ଘଟଣା ଘଟିବା ପରେ ଅବୈଧ ମଦ କାରବାର ଉପରେ ପୁଲିସର ନଜରଦାରୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial