ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୨୪ ଜିଲ୍ଲାରେ ବଜ୍ରପାତ ସହ ବର୍ଷା

ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ବଦଳିଛି ଓଡ଼ିଶାର ପାଣିପାଗ । ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ବର୍ଷାର ପ୍ରଭାବ ଜାରି ରହିବ । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ଅନ୍ୟ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଟକା ପବନର ଆଶଙ୍କା ରହିଛି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ସମ୍ବଲପୁର ଅଞ୍ଚଳ ପାଇଁ ବିଶେଷ ସତର୍କତା ଜାରି ହୋଇଛି । ଏହି ଅଞ୍ଚଳଗୁଡ଼ିକରେ ଭାରିରୁ ଅତିଭାରି ବର୍ଷା ହେଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବା ସହ ରାସ୍ତାଘାଟରେ ପାଣି ଜମିବା ଆଶଙ୍କା ରହିଛି ।

ଅନ୍ୟପଟେ, ରାଜ୍ୟର ଅବଶିଷ୍ଟ ୨୪ଟି ଜିଲ୍ଲାରେ ମଧ୍ୟ ପାଣିପାଗକୁ ନେଇ ସତର୍କତା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ । ବଜ୍ରପାତକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ନଥିଲେ ବଜ୍ରପାତ ସମୟରେ ଖୋଲା ସ୍ଥାନକୁ ନଯିବା ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ଲଘୁଚାପର ପ୍ରଭାବ କେବଳ ସ୍ଥଳଭାଗରେ ସୀମିତ ନାହିଁ । ଓଡ଼ିଶା ଉପକୂଳ ନିକଟ ସମୁଦ୍ର ମଧ୍ୟ ଅଶାନ୍ତ ରହୁଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମୁଦ୍ରଠାରୁ ଦୂରେ ରହିବାକୁ ସତର୍କ କରାଯାଇଛି ।

ଏପଟେ, ଆସନ୍ତା ୩୦ ତାରିଖ ଯାଏ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବାକୁ ଥିବାବେଳେ ଅଗଷ୍ଟ ଶେଷ ଆଡ଼କୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆକଳନ ସତ ହେଲେ ଅଗଷ୍ଟ ଶେଷ ସପ୍ତାହରେ ମଧ୍ୟ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିପାରେ । ଏବେ ଲଘୁଚାପର ପ୍ରଭାବରେ ବର୍ଷା, ଆଗକୁ ପୁଣି ଲଘୁଚାପର ସମ୍ଭାବନା ଅର୍ଥାତ୍ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ପାଣିପାଗରେ ବର୍ଷାର ପ୍ରଭାବ ଜାରି ରହିପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial