ମାଆଙ୍କୁ ହତ୍ୟା ପରେ ରୋଷେଇ ଘର ସ୍ଲାବ୍ ତଳେ ପୋତିଦେଲା ପୁଅ! ୩ ଘଣ୍ଟାର କସରତ ପରେ ଗଳିତ ମୃତଦେହ ଉଦ୍ଧାର

ଅକ୍ଷର ବ୍ୟୁରୋ: ପୁରୀ କୁମ୍ଭାରପଡ଼ାରେ ଚାଞ୍ଚଲ୍ୟ । ମାଆଙ୍କୁ ହତ୍ୟା କରି ଭଡ଼ାଘରର ରୋଷେଇ ଘର ସ୍ଲାବ୍ ତଳେ ପୋତି ଦେଇଥିବା ନେଇ ସନ୍ଦେହ । ପ୍ରାୟ ୩ ଘଣ୍ଟାର କସରତ ପରେ ରୋଷେଇ ଘର ସ୍ଲାବ୍ ତଳୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୁଲିସ । ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ ପହଞ୍ଚି ତଦନ୍ତ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମାଆ ଓ ପୁଅ କୁମ୍ଭାରପଡ଼ା ଅଞ୍ଚଳରେ ମନୋରମା ସାହୁଙ୍କ ଘର ଭଡ଼ା ନେଇ ରହୁଥିଲେ । ତେବେ ଦିନକ ତଳେ ପୁଅ ଘରୁ ଫେରାର ହୋଇଯାଇଥିବା ବେଳେ ମାଆଙ୍କର କୌଣସି ଖୋଜଖବର ମିଳିନଥିଲା । ଏହାକୁ ନେଇ ଘର ମାଲିକଙ୍କ ସନ୍ଦେହ ହୋଇଥିଲା । ରୋଷେଇ ଘରର ସ୍ଲାବ୍ ତଳେ ମୃତଦେହ ପୋତି ଦିଆଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇବା ପରେ ପୁଲିସକୁ ଖବର ଦିଆଯାଇଥିଲା ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୋଷେଇ ଘରର ସ୍ଲାବ୍ ତଳେ ଖୋଳତାଡ଼ ଆରମ୍ଭ କରିଥିଲା । ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ସେଠାରୁ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଆବଶ୍ୟକ ନମୁନା ଓ ପ୍ରମାଣ ସଂଗ୍ରହ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର ପ୍ରକ୍ରିୟା କରାଯାଇଥିବା ସୂଚନା ମିଳିଛି ।ଘଟଣା ପରେ ମୃତ ମହିଳାଙ୍କ ପୁଅ ଫେରାର ଥିବାରୁ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଛି । ତେବେ ହତ୍ୟା ହୋଇଛି କି ନାହିଁ ଏବଂ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ, ତାହା ପୋଷ୍ଟମର୍ଟମ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏବେ ଫେରାର ପୁଅକୁ ଧରିବା ପାଇଁ ପୁଲିସ ଖୋଜାଖୋଜି ଜାରି ରଖିଛି । ଘଟଣାକୁ ନେଇ କୁମ୍ଭାରପଡ଼ା ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଲାଗି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial