ଜଳେଶ୍ୱରରେ ମଦ ମାଫିଆଙ୍କ ଉପରେ ପୁଲିସର ବଡ଼ ଆକ୍ସନ୍: ୪,୫୦୦ ଲିଟର ଚୋରା ଦେଶୀ ମଦ ଜବତ, ମାଫିଆ ଶେଖ ସାଜନ ଜେଲ୍ ଗଲେ

ବାଲେଶ୍ୱର: ଜଳେଶ୍ୱରରେ ମଦ ମାଫିଆଙ୍କ ବିରୋଧରେ ପୁଲିସର ବଡ଼ ଆକ୍ସନ୍ । ଦୀର୍ଘଦିନ ଧରି ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ଶେଖ ସାଜନଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି । ଜଳେଶ୍ୱର ଥାନା ଅନ୍ତର୍ଗତ ସେଖବାଡ଼ ଅଞ୍ଚଳର ଶେଖ ସାଜନ ଦୀର୍ଘଦିନ ଧରି ଚୋରା ଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ପୁଲିସ ଅଭିଯୋଗ କରିଛି ।

ସୂଚନା ଅନୁସାରେ, ଗତ ଜୁନ୍ ୫ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୁଲିସ ଓ ଜଳେଶ୍ୱର ପୁଲିସ ମିଳିତ ଭାବେ ରାଜପୁର ଅଞ୍ଚଳରେ ଥିବା ଶେଖ ସାଜନଙ୍କ ଦେଶୀ ମଦ ଗୋଦାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଗୋଦାମରୁ ଟିଉବ୍‌ରେ ଭର୍ତ୍ତି ପ୍ରାୟ ୪,୫୦୦ ଲିଟର ଦେଶୀ ମଦ ଜବତ କରିଥିଲା ପୁଲିସ । ଏହା ସହ ମଦରେ ଅପମିଶ୍ରଣ ପାଇଁ ବ୍ୟବହାର ହେଉଥିବା ୟୁରିଆ ମଧ୍ୟ ଜବତ ହୋଇଥିଲା । ତେବେ ପୁଲିସ ଚଢ଼ାଉ ପରଠାରୁ ଶେଖ ସାଜନ ଫେରାର ହୋଇଯାଇଥିଲେ । ଫେରାର ଥିବା ସମୟରେ ସେ ଏକାଧିକ ଥର ଜାମିନ୍ ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କୁ ଜାମିନ୍ ମିଳିନଥିଲା । ଶେଷରେ ଗତକାଲି ରାତିରେ ଶେଖ ସାଜନ ଜଳେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲେ । ପରେ ପୁଲିସ ତାଙ୍କୁ ୩୨୩ ନମ୍ବର ମାମଲା ଆଧାରରେ କୋର୍ଟରେ ହାଜର କରିଥିଲା । କୋର୍ଟରେ ହାଜର ପରେ ତାଙ୍କୁ ଜେଲ୍ ପଠାଯାଇଛି । ବିପୁଳ ପରିମାଣର ଚୋରା ଦେଶୀ ମଦ ଜବତ ସହ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କ ଗିରଫ ପରେ ଜଳେଶ୍ୱର ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial