ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଓ ଅସରପାଙ୍କ ଉପଦ୍ରବକୁ ନେଇ ଚିନ୍ତା ବଢ଼ିଛି । ମହାପ୍ରଭୁ ନିଦ୍ରା ଯିବା ପରେ କିଟିକିଟି ଅନ୍ଧାରର ସୁଯୋଗ ନେଇ ମୂଷା ଓ ଅସରପା ଗର୍ଭଗୃହରେ ଉତ୍ପାତ କରୁଥିବା ଜଣାପଡ଼ିଛି । ଶ୍ରୀଅଙ୍ଗରେ କୌଣସି ପ୍ରକାର କ୍ଷତି ହେବା ପୂର୍ବରୁ ଏହାର ନିରାକରଣ ଓ ପ୍ରତିକାର ପାଇଁ ଅଣ୍ଟା ଭିଡ଼ିଛନ୍ତି ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ଏବଂ ଶ୍ରୀମନ୍ଦିରର ପରମ୍ପରା ଓ ପବିତ୍ରତା ବଜାୟ ରଖିବାକୁ ସେବକ-ପ୍ରଶାସନ ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆଗକୁ କୌଣସି ବଡ଼ ସମସ୍ୟା ନଉପୁଜିବା ପୂର୍ବରୁ ଆଗୁଆ ପ୍ରତିକାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମୂଷା ଓ ଅସରପାଙ୍କ ଉପଦ୍ରବ ରୋକିବା ପାଇଁ ଶାସ୍ତ୍ରସମ୍ମତ ବିଧି ଅନୁଯାୟୀ ପଦକ୍ଷେପ ନିଆଯିବ । ମୂଷା ଧରିବା ପାଇଁ ଯନ୍ତା ବସାଯିବା ସହ ଅସରପା ଧରିବା ପାଇଁ ଗୁଡ଼ ମାଠିଆ ବସାଯିବ । ଏହି ପାରମ୍ପରିକ ପଦ୍ଧତି ମାଧ୍ୟମରେ ଗର୍ଭଗୃହରେ କୀଟପତଙ୍ଗ ଓ ମୂଷାଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରିବାକୁ ଯୋଜନା ହୋଇଛି । ଶ୍ରୀଅଙ୍ଗରେ କୌଣସି କ୍ଷତି ଘଟିବା ପୂର୍ବରୁ ଆଗୁଆ ପଦକ୍ଷେପ ନେବା ଉପରେ ସେବକ ଓ ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି । ତେବେ ଶ୍ରୀମନ୍ଦିରର ପରମ୍ପରା, ଶାସ୍ତ୍ରୀୟ ବିଧି ଓ ନୀତିକାନ୍ତିକୁ ଅକ୍ଷୁଣ୍ଣ ରଖି ଏହି ପ୍ରତିକାର ବ୍ୟବସ୍ଥା କରାଯିବ ।














Leave a Reply