ଅକ୍ଷର ବ୍ୟୁରୋ: ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ। ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖରେ ଓଡ଼ିଶାରେ ଏହି ଦିବସ ପାଳନ କରାଯାଉଥିବା ବେଳେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍ଏସିରେ ଧୂମଧାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସହରାଞ୍ଚଳ ବିକାଶ, ନାଗରିକ ସେବାର ସୁଦୃଢ଼ୀକରଣ ଏବଂ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ମଜବୁତ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ରଖିବାରେ ଅବଦାନ ରଖୁଥିବା ସଫେଇ କର୍ମଚାରୀ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ନାଗରିକଙ୍କ ସୁବିଧା ପାଇଁ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ। ନୂତନ ପାନୀୟ ଜଳ ପ୍ରକଳ୍ପ, ସ୍ୱେରେଜ୍ ବ୍ୟବସ୍ଥା, ଡ୍ରେନେଜ୍, ସହରୀ ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ଭଳି ବିଭିନ୍ନ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଉଛି।
ସହରାଞ୍ଚଳବାସୀଙ୍କ ନିକଟରେ ସରକାରୀ ସୁବିଧା ଓ ନାଗରିକ ସେବାକୁ ଅଧିକ ସହଜ ଓ ସୁବିଧାଜନକ ଭାବେ ପହଞ୍ଚାଇବା ନେଇ ପ୍ରଶାସନ ପକ୍ଷରୁ ସଂକଳ୍ପ ନିଆଯାଇଛି। ତେବେ ସହରର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସହରର ସୁନ୍ଦରତା ବଜାୟ ରଖିବାରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି। ସ୍ୱାୟତ୍ତ ଶାସନ ଦିବସ କେବଳ ଉତ୍ସବ ନୁହେଁ, ବରଂ ଅଧିକ ସ୍ୱଚ୍ଛ, ସୁନ୍ଦର, ସବୁଜ ଓ ନାଗରିକ-କେନ୍ଦ୍ରିକ ସହର ଗଠନ ପାଇଁ ଏକ ନୂଆ ସଂକଳ୍ପର ଦିନ।












Leave a Reply