ରତ୍ନଭଣ୍ଡାର ଗଣତିର ପ୍ରଥମ ଦିନ ଶେଷ: ଆଜି ପୁଣି ଆରମ୍ଭ ହେବ ଗଣତି

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁଇଦିନିଆ ଗଣତି ପ୍ରକ୍ରିୟାର ପ୍ରଥମ ଦିନ ଶେଷ ହୋଇଛି। ଗତକାଲି ପୂର୍ବାହ୍ନ ୧୧ଟା ୩୦ରୁ ସନ୍ଧ୍ୟା ୬ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଭିତର ଭଣ୍ଡାରରେ ଗଣତି କାର୍ଯ୍ୟ ଚାଲିଥିଲା। ଆଜି ସକାଳ ଧୂପ ପରେ ପୁଣିଥରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍‌ଓପି ଅନୁଯାୟୀ ଗଣତି କାର୍ଯ୍ୟ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ଅତିରିକ୍ତ ଏସ୍‌ଓପି ମଧ୍ୟ ଜାରି କରାଯାଇଛି। ରତ୍ନଭଣ୍ଡାରରେ ଥିବା ପ୍ରତ୍ୟେକ ମୂଲ୍ୟବାନ ସାମଗ୍ରୀର ସୁରକ୍ଷା ଓ ସଠିକ୍ ତଥ୍ୟ ସଂରକ୍ଷଣକୁ ଗୁରୁତ୍ୱ ଦିଆଯାଉଛି। ଭିତର ଭଣ୍ଡାରରେ ୩ ସେଟ୍ କାସ୍କେଟରେ ବୃହତ୍ ଓ ମୂଲ୍ୟବାନ ଅଳଙ୍କାର ରହିଛି। ଅଳଙ୍କାରଗୁଡ଼ିକର ଆକାର ଓ ପରିମାଣକୁ ଦୃଷ୍ଟିରେ ରଖି ଭିତର ଭଣ୍ଡାର ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଗଣତି କରିବା ସମ୍ଭବ ହେଉନଥିବାରୁ ଅତିରିକ୍ତ ଏସ୍‌ଓପି ଅନୁଯାୟୀ ଏଗୁଡ଼ିକୁ ଖଟଶେଯ ଘରକୁ ଆଣି ରଖାଯାଇଛି।

ଖଟଶେଯ ଘରେ ଅଳଙ୍କାରଗୁଡ଼ିକର ମାପ, ଗଣତି ଓ ଓଜନ କରାଯିବ। ଏଥିସହ ପ୍ରତ୍ୟେକ ଅଳଙ୍କାରର ଭିଡିଓଗ୍ରାଫି କରାଯିବା ସହ ଇ-କାଟାଲଗ୍ ପ୍ରସ୍ତୁତ କରାଯିବ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ପୁନର୍ବାର ଭିତର ଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସେହିପରି ରତ୍ନଭଣ୍ଡାରର ୬ଟି କାଠ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମ୍ ନିକଟସ୍ଥ ଏକ ଘରକୁ ନେଇ ରଖାଯିବ। ଏହି ଆଲମିରାରେ ପୁରୁଣା ସିନ୍ଦୁକଗୁଡ଼ିକ ଲକ୍ ଓ ସିଲ୍ ହୋଇ ରହିଛି। ଗଣତି ପ୍ରକ୍ରିୟାରେ ଏଗୁଡ଼ିକର ମଧ୍ୟ ଆବଶ୍ୟକ ଯାଞ୍ଚ କରାଯିବ।

ଅନ୍ୟପଟେ, ୧୯୭୮ ମସିହାରେ କିଛି ଅଳଙ୍କାରର ଓଜନ ହୋଇନଥିଲା। ଏଥର ସେହି ଅଳଙ୍କାରଗୁଡ଼ିକର ମଧ୍ୟ ଗଣତି, ମାପ ଓ ଓଜନ କରାଯିବ। ଗୋଟିଏ ଗୋଟିଏ ଅଳଙ୍କାରର ଗଣତି, ଭିଡିଓଗ୍ରାଫି ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ ପାଇଁ ପ୍ରାୟ ୩୦ ମିନିଟ୍‌ରୁ ୧ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗୁଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ୨୦୨୬ ମେ ୨୫ ତାରିଖରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି। ଏଯାବତ୍ ସମୁଦାୟ ୮୫ ଘଣ୍ଟା ୨୮ ମିନିଟ୍ ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ଆଜି ଦ୍ୱିତୀୟ ଦିନର ଗଣତି ଆରମ୍ଭ ହେବାକୁ ଥିବାରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ସଠିକ୍ ହିସାବ ଓ ତଥ୍ୟ ସଂରକ୍ଷଣ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial