୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ! ଗଭୀର ଅବପାତ ନେଇପାରେ ରୂପ, ବଢ଼ିବ ବର୍ଷା

ଭୁବନେଶ୍ୱର: ସକାଳ ୮ଟା ପରେ ମାଡ଼ି ଆସୁଛି ଖରା। ୧୦ଟା ବେଳକୁ ଟାଣ ଖରାରେ ତାତି ବଢ଼ୁଛି। ଦିନ ଯେତିକି ବଢ଼ୁଛି, ତାପମାତ୍ରା ସେତିକି ବଢ଼ିବା ସହ ଗୁଳୁଗୁଳି ମଧ୍ୟ ଲୋକଙ୍କୁ ନାକେଦମ୍ କରୁଛି। ଏଭଳି ପାଗ ମଧ୍ୟରେ ଏବେ ଆସିଛି ବର୍ଷା ନେଇ ଆଶ୍ୱସ୍ତିର ଖବର। ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ। ଏହାରି ମଧ୍ୟରେ ୧୦ ଓ ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ଆକଳନ କରାଯାଇଛି। ଏହା ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇପାରେ ବୋଲି ମଧ୍ୟ ଆକଳନ ରହିଛି।

ସୂଚନା ଅନୁସାରେ, ବର୍ତ୍ତମାନ ଅଧିକାଂଶ ସ୍ଥାନରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁଁ ଖରାଦିନ ଭଳି ଗରମ ଅନୁଭୂତ ହେଉଛି। ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତେବେ ଆସନ୍ତା ୯ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ। ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସହ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ବିଶେଷକରି ୯ ତାରିଖରେ ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଗଠନ ହେବାର ସମ୍ଭାବନା ଥିବାରୁ ୧୦ ତାରିଖରୁ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଏବେ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀଙ୍କ ପାଇଁ ଆଗାମୀ ଦିନର ବର୍ଷା ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ତେବେ ଘୂର୍ଣ୍ଣିବଳୟର ଗତିପଥ ଓ ତୀବ୍ରତା ସମ୍ପର୍କରେ ଆଗାମୀ ପାଣିପାଗ ଆକଳନ ଉପରେ ନଜର ରହିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial