ନବରଙ୍ଗପୁରରେ ଅଭାବନୀୟ ଘଟଣା! ଜନ୍ମ ଦେଇ ରାସ୍ତାକଡ଼ରେ ଛାଡ଼ିଦେଲେ! ଗୁରୁତର ଅବସ୍ଥାରେ ମେଡିକାଲ

ନବରଙ୍ଗପୁର: ଦୁନିଆରେ ମାନବିକତାକୁ ନେଇ ପୁଣି ଉଠିଛି ବଡ଼ ପ୍ରଶ୍ନ। ଜନ୍ମଦାତ୍ରୀ ମା’ ନିଜ ନବଜାତ ଶିଶୁପୁତ୍ରକୁ ରାସ୍ତାକଡ଼ରେ ଛାଡ଼ି ଚାଲିଯାଇଥିବା ଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପୀଗୁଡ଼ାରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରୁ ନବଜାତକୁ ମଇଦଳପୁର ପୁଲିସ ଉଦ୍ଧାର କରିଛି | ସୂଚନା ଅନୁଯାୟୀ, ମଇଦଳପୁର ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୋପୀଗୁଡ଼ା ରାସ୍ତାକଡ଼ରୁ ଏକ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣିଥିଲା। ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା। ତୁରନ୍ତ ଶିଶୁକୁ ମଇଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ପୁଲିସ। ଶିଶୁକୁ ଉଦ୍ଧାର କରିବା ସମୟରେ ତାକୁ ପିମ୍ପୁଡ଼ି କାମୁଡ଼ି ଆହତ କରିଥିବା ଜଣାପଡ଼ିଛି। ଏହାସହ ଶିଶୁଟି ଜନ୍ମ ହେବା ପରେ ତାକୁ ମେଡିକାଲ ନିଆଯାଇନଥିବାରୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିବା କୁହାଯାଉଛି। ମଇଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଶିଶୁର ଅବସ୍ଥା ଗୁରୁତର ରହିଥିଲା। ତେଣୁ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ନବଜାତ ଶିଶୁକୁ କିଏ ଏବଂ କେଉଁ ପରିସ୍ଥିତିରେ ରାସ୍ତାକଡ଼ରେ ଛାଡ଼ି ଯାଇଥିଲା, ସେନେଇ ଏବେ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଓ ଶିଶୁର ପରିଚୟ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial