ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଆସିବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ଦଶମ ଶ୍ରେଣୀର ପାଠ୍ୟକ୍ରମ। ଏଥିସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ସରକାରଙ୍କ ପ୍ରସ୍ତୁତି ଚାଲିଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଏକ ନୂଆ ଏକକ ବୋର୍ଡ ଗଠନ କରାଯିବ। ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ନୂଆ ଏକକ ବୋର୍ଡ ଗଠନ ପାଇଁ ପ୍ରସ୍ତୁତି ଚାଲିଛି। CBSE ଢାଞ୍ଚାରେ ଏହି ନୂଆ ବୋର୍ଡ ଅଧୀନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ଏବଂ ପରୀକ୍ଷା ପରିଚାଳନା କରାଯିବ।
ବୋର୍ଡ ମିଶ୍ରଣ ପାଇଁ ଆଇନର ଚିଠା ପ୍ରସ୍ତୁତି ଚାଲିଛି। ଚିଠା ଆଇନ କାର୍ଯ୍ୟକାରୀ ହେବା ପରେ ନୂଆ ବୋର୍ଡ ଗଠନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ। ଏହା ସହ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ ଆଣିବା ନେଇ ପ୍ରସ୍ତୁତି ରହିଛି। ମୁକ୍ତ ବିଦ୍ୟାଳୟରେ ଯୁକ୍ତ ୨ ପାଠ୍ୟକ୍ରମ ଆରମ୍ଭ କରାଯିବ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମୁକ୍ତ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଏହାଦ୍ୱାରା ନିୟମିତ ଶିକ୍ଷା ବ୍ୟବସ୍ଥାରୁ ବାହାରେ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷା ଜାରି ରଖିବାର ସୁଯୋଗ ପାଇବେ। ଏଥିସହ ମାଗଣା ଡିଜିଟାଲ ଶିକ୍ଷା ବ୍ୟବସ୍ଥା ପାଇଁ CHSEକୁ ନିର୍ଦ୍ଦେଶ ଦିଆଯାଇଛି।
ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଓଡ଼ିଆ ଭାଷାରେ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପାଠପଢ଼ାର ସୁଯୋଗ ମିଳିବ। ଚଳିତ ବର୍ଷ ଜାନୁଆରୀରୁ ବିଜ୍ଞାନ ବିଷୟର ଓଡ଼ିଆ ପାଠ୍ୟପୁସ୍ତକ ଦିଆଯାଇଛି। ଆଗାମୀ ଦିନରେ ଅନ୍ୟ ବିଷୟଗୁଡ଼ିକୁ ମଧ୍ୟ ଓଡ଼ିଆରେ ଉପଲବ୍ଧ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ ସୂଚନା ଦେଇଛନ୍ତି। ନୂଆ ଏକକ ବୋର୍ଡ ଗଠନ ସହ ଏହାର ନୂତନ କାର୍ଯ୍ୟାଳୟ ସମ୍ପର୍କରେ ମଧ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ। ଆଇନର ଚିଠା ପ୍ରସ୍ତୁତିଠାରୁ ଆରମ୍ଭ କରି ବୋର୍ଡ ଗଠନ, ପାଠ୍ୟକ୍ରମ ପରିବର୍ତ୍ତନ ଓ ମାତୃଭାଷାରେ ଶିକ୍ଷା ବ୍ୟବସ୍ଥା—ଏସବୁ ପଦକ୍ଷେପ ଓଡ଼ିଶାର ସ୍କୁଲ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି।
















Leave a Reply