ରାୟଗଡ଼: ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ୧୯ ବର୍ଷୀୟ ଯୁବକଙ୍କ ମୃତଦେହ ଫେରିଲା ନିଜ ଗାଁକୁ। ରାୟଗଡ଼ ବ୍ଲକ ମୁନିସିଂ ଗ୍ରାମର ଯୁବକ ଚନ୍ଦ୍ର ଗମାଙ୍ଗଙ୍କ ମୃତଦେହ ଆଜି ସକାଳ ପ୍ରାୟ ୧୧ଟାରେ ଗାଁରେ ପହଞ୍ଚିଛି। ଚନ୍ଦ୍ରଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇପଡ଼ିଥିଲା। ପରିବାର ଲୋକଙ୍କ ଶୋକାକୁଳ କ୍ରନ୍ଦନରେ ମୁନିସିଂ ଗାଁରେ ଏକ ହୃଦୟବିଦାରକ ପରିବେଶ ସୃଷ୍ଟି ହୋଇଥିଲା। ଶେଷ ଦର୍ଶନ ପାଇଁ ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀ ମଧ୍ୟ ଏକାଠି ହୋଇଥିଲେ।
ସୂଚନା ଅନୁଯାୟୀ, ଚନ୍ଦ୍ର ହାଇଦ୍ରାବାଦର ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଚନ୍ଦ୍ର ଏକ ଗରିବ ପରିବାରର ହୋଇଥିବାରୁ ମୃତଦେହକୁ ହାଇଦ୍ରାବାଦରୁ ନିଜ ଗାଁକୁ ଆଣିବା ପାଇଁ ପରିବାର ଆର୍ଥିକ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ମୃତଦେହ ଗାଁକୁ ଆଣିବା ନେଇ ପରିବାର ପକ୍ଷରୁ ସହଯୋଗର ଆବଶ୍ୟକତା ରହିଥିଲା। ଶେଷରେ ସମ୍ପୃକ୍ତ କମ୍ପାନୀର ସହଯୋଗରେ ଚନ୍ଦ୍ରଙ୍କ ମୃତଦେହକୁ ତାଙ୍କ ଗାଁ ମୁନିସିଂକୁ ଅଣାଯାଇଥିଲା। ଆଜି ସକାଳ ପ୍ରାୟ ୧୧ଟାରେ ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କର ଶେଷ ଦର୍ଶନ କରିଥିଲେ। ପରେ ଶୋକାକୁଳ ପରିବେଶରେ ଚନ୍ଦ୍ରଙ୍କ ଶବଦାହ ସମ୍ପନ୍ନ ହୋଇଛି। ଜଣେ ୧୯ ବର୍ଷୀୟ ଯୁବକଙ୍କ ଅକାଳ ବିୟୋଗରେ ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।













Leave a Reply