ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାରର ଗଣତିମଣତି ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଏକ ଗୁପ୍ତ ସେବା ଭଳି। ତେଣୁ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଯଥାସମ୍ଭବ ଗୁପ୍ତ ରଖାଯିବ। ଦୁର୍ଗାପୂଜା ପରେ ରତ୍ନଭଣ୍ଡାରର ଗଣତିମଣତି ନିୟମିତ ଭାବେ ଚାଲିବ ଏବଂ ଏହା ଦୀର୍ଘ ସମୟ ଧରି ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି। ମାର୍ଗଶିର ମାସ ପୂର୍ବରୁ ଗଣତିମଣତି ଶେଷ କରିବା ଲକ୍ଷ୍ୟ ରହିଛି। ଶ୍ରୀମନ୍ଦିରର ନୀତିକାନ୍ତି ଯେପରି କୌଣସି ପ୍ରକାରେ ପ୍ରଭାବିତ ନହୁଏ, ତାହାକୁ ନଜରରେ ରଖି ସମଗ୍ର ପ୍ରକ୍ରିୟା ଆଗକୁ ବଢ଼ାଯାଉଛି।
ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଅନେକ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ରହିଛି। ଏଥିରେ ହୀରା, ମୋତି, ମାଣିକ୍ୟ ଭଳି ମୂଲ୍ୟବାନ ରତ୍ନ ରହିଛି। ଏହି ସମସ୍ତ ଅଳଙ୍କାରକୁ ୧୯୭୮ ମସିହାର ତାଲିକା ସହ ମେଳକ କରାଯାଉଛି। ଏଥିସହ ଦୁର୍ମୂଲ୍ୟ ଓ ଦୁର୍ଲଭ ଅଳଙ୍କାରଗୁଡ଼ିକର ଥ୍ରିଡି ମ୍ୟାପିଂ କରାଯାଉଛି। ରତ୍ନ ଅଳଙ୍କାରର ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମଧ୍ୟ କରାଯାଉଛି। ସମ୍ପୂର୍ଣ୍ଣ ଗଣତିମଣତି ପ୍ରକ୍ରିୟା ଶେଷ ହେବା ପରେ ରତ୍ନଭଣ୍ଡାରର ତାଲିକା ପ୍ରସ୍ତୁତ କରାଯିବ। ତେବେ ଏହି ତାଲିକା କିମ୍ବା ଗଣତିମଣତି ରିପୋର୍ଟ ପବ୍ଲିକ ଡୋମେନ୍ରେ ଉପଲବ୍ଧ ହେବ ନାହିଁ। ଅଧିକୃତ ବ୍ୟକ୍ତିମାନେ ଆବଶ୍ୟକତା ଅନୁସାରେ ଏହାକୁ ଦେଖିପାରିବେ। ରତ୍ନଭଣ୍ଡାରର ରତ୍ନ କିମ୍ବା ରିପୋର୍ଟକୁ ନେଇ କୌଣସି ପ୍ରକାରର ରିଲ୍ସ କିମ୍ବା ଅନଧିକୃତ ପ୍ରଦର୍ଶନର ସୁଯୋଗ ଦିଆଯିବ ନାହିଁ। ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଗଣତିମଣତି ହେଉଥିବା ବେଳେ ଏହାର ତଥ୍ୟ ଓ ରେକର୍ଡକୁ ଯଥାସମ୍ଭବ ଗୁପ୍ତ ରଖାଯିବ ବୋଲି ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।














Leave a Reply