ଲିକୋମିଆ ରୋଗୀଙ୍କୁ ଦିଆଗଲା ଭୁଲ ରକ୍ତ! A+VE ବଦଳରେ ଲଗାଇଦେଲେ B+VE, ଗୁରୁତର ହେଲେ ମହିଳା

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭୁଲ ରକ୍ତ ଦିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଜଟିଳ ଲିକୋମିଆରେ ଆକ୍ରାନ୍ତ ଜଣେ ମହିଳା ରୋଗୀଙ୍କୁ ତାଙ୍କର ରକ୍ତ ଗ୍ରୁପ୍‌ A+VE ବଦଳରେ B+VE ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଛି। ଭୁଲ ରକ୍ତ ନେବା ପରେ ମହିଳା ରୋଗୀଙ୍କ ସ୍ୱାସ୍ଥ୍ୟ ଆହୁରି ଗୁରୁତର ହୋଇପଡ଼ିଥିବା ବେଳେ ରକ୍ତ ବାନ୍ତି ହେବା ପରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ପୁରୀ ସଦର ଚନ୍ଦନପୁର ଅଞ୍ଚଳର ବଂଶୀଧର ପ୍ରଧାନଙ୍କ ସ୍ତ୍ରୀ ପ୍ରଦର୍ଶନୀ ପ୍ରଧାନ ଜଟିଳ ଲିକୋମିଆ ରୋଗରେ ଆକ୍ରାନ୍ତ ଅଛନ୍ତି। ରକ୍ତହୀନତା କାରଣରୁ ଗତ ୭ ତାରିଖରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା। ରକ୍ତ ପରୀକ୍ଷା ପରେ ଡାକ୍ତର ତାଙ୍କର ବ୍ଲଡ୍‌ ଗ୍ରୁପ୍‌ A+VE ବୋଲି ଉଲ୍ଲେଖ କରି ତୁରନ୍ତ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ।

ତେବେ ଅଭିଯୋଗ ଅନୁସାରେ, ୯ ତାରିଖରେ A+VE ରକ୍ତ ବଦଳରେ B+VE ରକ୍ତ ମହିଳାଙ୍କୁ ଦିଆଯାଇଥିଲା। ଭୁଲ ରକ୍ତ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ିଥିବା ଏବଂ ରକ୍ତ ବାନ୍ତି ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀ କିଭଳି ଭୁଲ ବ୍ଲଡ୍‌ ଗ୍ରୁପ୍‌ ରକ୍ତ ଦେଲେ? ୱାର୍ଡରେ ରକ୍ତ ଲଗାଇବା ପୂର୍ବରୁ ନର୍ସ କାହିଁକି ରକ୍ତ ଗ୍ରୁପ୍‌ ଯାଞ୍ଚ କଲେ ନାହିଁ? ଏପରିକି, ଯଦି ୭ ତାରିଖରେ A+VE ରକ୍ତ ଦିଆଯାଇଥିଲା, ତେବେ ୯ ତାରିଖରେ କିଭଳି B+VE ରକ୍ତ ଦିଆଗଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି CDMO। ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ହସ୍ପିଟାଲରେ ଏଭଳି ଭୁଲ କିପରି ହେଲା ଏବଂ ଏଥିପାଇଁ କିଏ ଦାୟୀ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial