ବୋଲେରୋ ଧକ୍କାରେ ବାଇକ୍ ଚାଳକ ମୃତ, ଜଣେ ଗୁରୁତର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବାଣୀଗୋଛା କଲେଜ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୋଲେରୋ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ପୁରୀରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ବୋଲେରୋ ବାଣୀଗୋଛା କଲେଜ ନିକଟରେ ଭାରସାମ୍ୟ ହରାଇ ଫୁଲବାଣୀରୁ ଦଶପଲ୍ଲା ଅଭିମୁଖେ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ବାଇକ୍‌ରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏଥିରେ ଗୁରୁତର ଆହତ ହୋଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବାଣୀଗୋଛା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ଅନ୍ୟପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ବାଣୀଗୋଛା ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial