ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ବାହ୍ନ ୧୦ଟା ୩୦ରେ ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟର ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବ। ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ବୈଠକରେ ମୋଟ ୭ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବା ବେଳେ, ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ-୨୦୨୬ ସମ୍ପର୍କରେ କମିଟି ସଦସ୍ୟଙ୍କୁ ଅବଗତ କରାଯିବ। ଏଥିସହ ରତ୍ନଭଣ୍ଡାର ଗଣତିମଣତି ସମ୍ପର୍କରେ ମଧ୍ୟ ସଦସ୍ୟମାନଙ୍କୁ ସୂଚନା ଦିଆଯିବ। ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ଉପସ୍ଥାପନ କରାଯିବ। ଏହା ଉପରେ ଆଲୋଚନା ପରେ ରିପୋର୍ଟକୁ ଅନୁମୋଦନ ଦିଆଯିବ। ସେହିପରି ଚଳିତ ବର୍ଷ ଅନୁଷ୍ଠିତ ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନ ଏବଂ ପରିଚାଳନାର ସମୀକ୍ଷା କରାଯିବ। ଘୋଷଯାତ୍ରାର ସଫଳ ଆୟୋଜନରେ ସହଯୋଗ କରିଥିବା ସେବକ, ସେବକ ନିଯୋଗ, ଅଧିକାରୀ, କର୍ମଚାରୀ, ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନଙ୍କୁ ପରିଚାଳନା କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବ। ଏହାବ୍ୟତୀତ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ସଂସ୍ଥା ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ପାଇଁ ଉପସ୍ଥାପିତ ହେବ। ସହସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ।














Leave a Reply