ପୁରୀ: ଶ୍ରୀମନ୍ଦିର ନିକଟରେ ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି ଭାଟି ଉପରେ ଆଜି ଚଢ଼ାଉ କରିଛି ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ମୁନିସିପାଲିଟି ଓ ପୁଲିସର ମିଳିତ ଟିମ୍। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ପରେ ସକାଳୁ ଏହି ଚଢ଼ାଉ ଆରମ୍ଭ ହୋଇଛି। ଯାଞ୍ଚ ସମୟରେ ୫ଟି ଭାଟିକୁ ସିଲ୍ କରାଯାଇଥିବା ବେଳେ ଅନିୟମିତତା ପାଇଁ ଫାଇନ୍ ମଧ୍ୟ ଆଦାୟ କରାଯାଇଛି।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ପୁରୀର ପ୍ରସିଦ୍ଧ ଖଜା ଘରକୁ ନେଇଯାଉଥିବାରୁ ଏହାର ପ୍ରସ୍ତୁତି ଓ ଗୁଣବତ୍ତାକୁ ନେଇ ଅଭିଯୋଗ ଆସିଥିଲା। କିଛି ଦୋକାନରେ ଖଜା ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଅଭିଯୋଗକୁ ଆଧାର କରି ଏହି ଯାଞ୍ଚ ଅଭିଯାନ କରାଯାଇଛି। ଯାଞ୍ଚ ବେଳେ ଅନିୟମିତତା ଦେଖିବାକୁ ମିଳିଥିବା କେତେକ ଭାଟିକୁ ସିଲ୍ କରାଯାଇଛି। ଏହାସହ ବ୍ୟବହାର ହେଉଥିବା କିଛି ଘରୋଇ ଗ୍ୟାସ୍ ସିଲିଣ୍ଡର ମଧ୍ୟ ଜବତ କରାଯାଇଛି। ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ ଖଜାକୁ ନଷ୍ଟ କରାଯାଉଛି।
ଭକ୍ତ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ଭାବନାକୁ ଗୁରୁତ୍ୱ ଦେଇ ଚଢ଼ାଉ କରାଯାଇଥିବା ବେଳେ ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଆଦାୟ କରାଯାଇଛି। ଅଭିଯାନ ସମୟରେ ଖାଦ୍ୟ ପ୍ରସ୍ତୁତିର ସ୍ୱଚ୍ଛତା ଓ ନିୟମ ପାଳନ ଉପରେ ମଧ୍ୟ ଯାଞ୍ଚ କରାଯାଇଛି। ପୁରୀ ସିଟି ଡିଏସ୍ପିଙ୍କ ସୂଚନା ଅନୁଯାୟୀ, ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ। ଶ୍ରୀମନ୍ଦିର ନିକଟରେ ଭକ୍ତଙ୍କୁ ବିକ୍ରି ହେଉଥିବା ଖାଦ୍ୟର ମାନ ଓ ପ୍ରସ୍ତୁତି ପ୍ରକ୍ରିୟା ଉପରେ ନଜର ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।














Leave a Reply