ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ର ପଟାଶାଳ ମଳିକ ସାହିରେ ଝାଡ଼ାବାନ୍ତିକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତମାନଙ୍କୁ ବ୍ରହ୍ମପୁର MKCG ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣା ପରେ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଝାଡ଼ାବାନ୍ତି କାହିଁକି ବ୍ୟାପିଲା, ତାହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଗାଁର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପକାଯାଇଥିବାବେଳେ ପାଣି ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଯାଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆକ୍ରାନ୍ତ କିଛି ବ୍ୟକ୍ତି ଏକ ଭୋଜିରେ ଯୋଗଦେବା ପାଇଁ ପୋଡ଼ାମାରି ଯାଇଥିଲେ। ଏକାଦଶାହ ଭୋଜି ଖାଇବାର ପ୍ରାୟ ଦୁଇ ଦିନ ପରେ ମାର୍ଥାପୁର ଗାଁରେ ପ୍ରାୟ ୧୫ ଦିନ ତଳେ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସେହିପରି ଗତକାଲି ପଟାଶାଳ ମଳିକ ସାହିରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଛି। ଭୋଜି ଖାଦ୍ୟ କିମ୍ବା ପାଣି ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି କି ନାହିଁ, ସେନେଇ ଏଯାଏଁ କୌଣସି ନିଶ୍ଚିତ ସୂଚନା ମିଳିନାହିଁ। ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଏପଟେ ସ୍ୱାସ୍ଥ୍ୟ ବିଭାଗ ଗାଁର ପରିସ୍ଥିତି ଉପରେ ନଜର ରଖିଛି।













Leave a Reply