ଦିବ୍ୟାଙ୍ଗ-ବୟସ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ବଡ଼ ପଦକ୍ଷେପ, ଉତ୍ତର ଦ୍ୱାରରେ ହେବ ସୁଗମ ଦର୍ଶନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ଦିବ୍ୟାଙ୍ଗ ଓ ବୟସାଧିକ୍ୟ ଶ୍ରଦ୍ଧାଳୁଙ୍କୁ ଦର୍ଶନରେ ସହାୟତା ପାଇଁ ଉତ୍ତର ଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଉତ୍ତର ଦ୍ୱାର ଗୁମୁଟରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ରାମ୍ପ ଓ ରେଲିଂ ନିର୍ମାଣ କାମ ଶେଷ ହୋଇଛି। ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତଙ୍କୁ ସହଯୋଗ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସେମାନେ ଶ୍ରଦ୍ଧାଳୁଙ୍କୁ ଆବଶ୍ୟକତା ଅନୁଯାୟୀ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହଯୋଗ କରିବେ। ଏହି ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଅନଲାଇନ୍ ବ୍ୟବସ୍ଥା ସହ ମୋବାଇଲ୍ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଉଥିବା ନେଇ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି।

ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଏହି ଅନଲାଇନ୍ ଓ ମୋବାଇଲ୍ ଆପ୍ ବ୍ୟବସ୍ଥା ମାଧ୍ୟମରେ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ। ଏଥିପାଇଁ ଭାରତୀୟ ରେଡ୍ କ୍ରସ ସୋସାଇଟି ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସର ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବା ନେଇ ଆଲୋଚନା ହୋଇଛି। ଆବଶ୍ୟକ ସ୍ୱେଚ୍ଛାସେବୀ ଯୋଗାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ରେଡ୍ କ୍ରସ ସୋସାଇଟି ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବାନୁସାରେ, ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯେପରି ସୁରୁଖୁରୁରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିପାରିବେ, ତାହା ଶ୍ରୀମନ୍ଦିର ପ୍ରଶାସନର ପ୍ରାଥମିକତା। ବିଶେଷକରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ଦର୍ଶନକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା କରାଯାଉଛି।

ସେହିପରି ୩୦ ସେପ୍ଟେମ୍ବର ବୁଧବାର ଶୁଭ ମୁହୂର୍ତ୍ତରେ ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯାଇଛି। ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁଙ୍କ ପାଇଁ ନିଃଶୁଳ୍କ ଦର୍ଶନ ବ୍ୟବସ୍ଥା ରହିଛି। ଏଥିସହ ହ୍ୱିଲ୍‌ଚେୟାର, ସ୍ୱେଚ୍ଛାସେବୀ ଏବଂ ନାଟମଣ୍ଡପରେ ରାମ୍ପ ଭଳି ସୁବିଧା ମଧ୍ୟ ସୁନିଶ୍ଚିତ କରାଯାଇଛି। ଫଳରେ ଶ୍ରୀମନ୍ଦିର ସହ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଅଧିକ ସୁବିଧାଜନକ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial