କେନ୍ଦୁଝର: ତେଲକୋଇରେ ଦୁଷ୍କର୍ମ ଓ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବିଧବା ଜୁଆଙ୍ଗ ମହିଳାଙ୍କ ମୃତ୍ୟୁ ପରେ ଜୋରଦାର ହୋଇଛି ପୁଲିସ ତଦନ୍ତ। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ କେନ୍ଦୁଝର ପୁଲିସ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଜଣେ ଡିଏସ୍ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଟିମ୍ଗୁଡ଼ିକ ଅଭିଯୁକ୍ତଙ୍କୁ ଖୋଜିବାରେ ନିୟୋଜିତ ହୋଇଛନ୍ତି। ଅନ୍ୟପଟେ ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଛି ପ୍ରଶ୍ନ।
କେନ୍ଦୁଝର ଏସ୍ପିଙ୍କ ସୂଚନା ଅନୁସାରେ, ଗତ ୧୦ ତାରିଖରେ ଏହି ଘଟଣା ଘଟିଥିଲା। ବେଣା ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ବେଳେ ଜଣେ ବିଧବା ଜୁଆଙ୍ଗ ମହିଳାଙ୍କ ସହ ଦୁଷ୍କର୍ମ ଓ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ପରିବାର ଲୋକେ ଘଟଣାକୁ ଦୁର୍ଘଟଣା ବୋଲି କହି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଗତ ୧୫ ତାରିଖରେ ପୀଡ଼ିତାଙ୍କ ସମ୍ପର୍କୀୟ ଦିଅର ତେଲକୋଇ ଥାନାରେ ଦୁଷ୍କର୍ମ ଓ ଆକ୍ରମଣ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗତକାଲି ଅପରାହ୍ନରେ ପୁଲିସ ମାମଲା ରୁଜୁ କରିଥିଲା। ଏହାପରଠାରୁ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି ପୁଲିସ।
ଘଟଣା ପରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଟ୍ରମା କେୟାର ବିଭାଗରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ପୀଡ଼ିତାଙ୍କ ମୃତ୍ୟୁ ପରେ ଏହି ଘଟଣା ଅଧିକ ଗମ୍ଭୀର ରୂପ ନେଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି ଉଠୁଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ଏବେ କେନ୍ଦୁଝର ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।












Leave a Reply