ପୂରଣ ହେବ ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ; ରାଜ୍ୟ ନିର୍ବାଚନ କମିଶନ ତରଫରୁ ଆରମ୍ଭ ହୋଇଛି ପ୍ରାଥମିକ ପଦକ୍ଷେପ

ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି। ସେଥି ମଧ୍ୟରୁ ୫ଟି ଜିଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ, ୨୭୨ଟି ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେଉଥିବାବେଳେ ୭୭୧ଟି ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ଥିବା ୭୭୧ଟି ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲକରି ନ ଥିବାରୁ ଉକ୍ତ ୱାର୍ଡ ଗୁଡିକରେ ନିର୍ବାଚନ ବନ୍ଦ ରହିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ପୃକ୍ତ ଜିଲାପାଳଙ୍କ ସୁପାରିସକ୍ରମେ ଉକ୍ତ ୱାର୍ଡଗୁଡ଼ିକୁ ଅଣସଂରକ୍ଷିତ କରାଯିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟ ନିର୍ବାଚନ ଆୟୁକ୍ତ ସଚିବଙ୍କ ସୂଚନା ଅନୁଯାୟୀ, ଉକ୍ତ ୱାର୍ଡଗୁଡ଼ିକ ପାଇଁ ଏପ୍ରିଲ ୧୭ରୁ ୨୨ ତାରିଖ ମଧ୍ୟରେ ନିର୍ବାଚନ ଅଧିକାରୀମାନେ କେନ୍ଦ୍ର ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଭୋଟର ତାଲିକାରୁ ସମ୍ପୃକ୍ତ ୱାର୍ଡ ୱାରି ଭୋଟର ତାଲିକା ପ୍ରସ୍ତୁତ କରିବେ। ଏପ୍ରିଲ ୨୪ରେ ସମ୍ପୃକ୍ତ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡୱାରି ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ହେବ। ଆସନ୍ତା ୩୦ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯାଇ ମେ ୨ରୁ ୫ ତାରିଖ ମଧ୍ୟରେ ସମ୍ପୃକ୍ତ ଅଭିଯୋଗଗୁଡ଼ିକୁ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ। ସଂଶୋଧିତ ଭୋଟର ତାଲିକାକୁ ନିର୍ବାଚନ ଅଧିକାରୀମାନେ ମେ ୯ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ ବୋଲି ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)