କୋରାପୁଟ ଦେଓମାଳିରେ ଲାଗିଲା ଜିଲ୍ଲା ପ୍ରଶାସନର କଟକଣା; ବିନା ଅନୁମତିରେ ରାତିରେ ରହିପାରିବେନି ପର୍ଯ୍ୟଟକ ।

କୋରାପୁଟ ଦେଓମାଳିର ଉପରିଭାଗରେ ଲାଗିଲା ଜିଲ୍ଲା ପ୍ରଶାସନର କଟକଣା। ଦେଓମାଳିର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଲା ବଡ ପଦକ୍ଷେପ। ରାତି ୮ରୁ ଭୋର୍ ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ରହିବ। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍‌ ରାତିରେ ରହିପାରିବେନି। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମନା, ସାଥୀରେ ନେଲେ ଦେବାକୁ ପଡିବ ଜରିମାନା।

ପର୍ଯ୍ୟଟକମାନେ ପୂର୍ବ ବୁକିଂ ଅନୁଯାୟୀ ସରକାରଙ୍କ ଦ୍ୱାରା ପରିଚାଳିତ କଟେଜରେ ରହିପାରିବେ। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ରାତିରେ ଦେଓମାଳିରେ ରହିପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ୍‌‌ ପ୍ଲାଷ୍ଟିକ ମନା କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀ ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳି ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । ଓଡିଶାର ସର୍ବୋଚ୍ଚ ପର୍ବତଶୃଙ୍ଗ ଦେଓମାଳିର ଉଚ୍ଚତା ୧୭୬୨ ମିଟର । ଏହା ପୁର୍ବଘାଟ ପର୍ବତମାଳାର କ୍ରୋଡରେ ଅବସ୍ଥିତ। ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ। ଦେଓମାଳି କୋରାପୁଟ ଠାରୁ ୬୦ କିମି ଦୁରରେ ଅବସ୍ଥିତ। ଏହା ବର୍ଷର ବାରମାସ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ବି ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢିଥାନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରା ଯାଇଛି। ଏଠାରୁ ଦେଓମାଳୀ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟ। କିନ୍ତୁ ଦେଓମାଳିରେ କୌଣସି ନିୟମ ଲାଗୁ ନହୋଇଥିବାରୁ ପର୍ଯ୍ୟଟକମାନେ ପର୍ଯ୍ୟଟନସ୍ଥଳୀକୁ ପ୍ରଦୂଷିତ କରୁଛନ୍ତି। ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ। ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର ଭିଡ଼ିଓ ସେୟାର କରି ଉଦ୍‌ବେଗ ପ୍ରକାଶ କରିଥିଲେ। ସେହି ଦୃଷ୍ଟିକୋଣରୁ କୋରାପୁଟ ଜିଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)