ପୁଣି ବିଦେଶରେ ଭୂକମ୍ପ। ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ବୁଧବାର ପ୍ରତ୍ୟୁଷରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ 5.9 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ସ୍ଥାନୀୟ ସମୟ ଅନୁସାରେ ସକାଳ 04.43 ମିନିଟରେ ଅନୁଭୂତ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ 35.83 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 70.60 ଡିଗ୍ରୀ ପୂର୍ବ ଦ୍ରାଘିମାରେ 75 କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ ଭୟରେ ଘରୁ ବାହାରିଆସିଥିଲେ। ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ଉପରେ ଜାତିସଂଘ ମାନବିକ ବ୍ୟାପାର ସମନ୍ବୟ କାର୍ଯ୍ୟାଳୟ (UNOCHA) ଚିନ୍ତା ପ୍ରକାଶ କରିଛି।

UNOCHA ଅନୁଯାୟୀ, ଆଫଗାନିସ୍ତାନ ଋତୁକାଳୀନ ବନ୍ୟା, ଭୂସ୍ଖଳନ ଏବଂ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ବାରମ୍ବାର ଭୂମିକମ୍ପ ହେବା ଦ୍ୱାରା ଦୁର୍ବଳ ସମ୍ପ୍ରଦାୟର କ୍ଷତି ହୁଏ। ବିପର୍ଯ୍ୟୟ ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜଣାଶୁଣା ଏକ ଅନ୍ତର୍ଜାତୀୟ ସଂଗଠନ ରେଡକ୍ରସ ଅନୁଯାୟୀ, ପୂର୍ବରୁ ଆଫଗାନିସ୍ତାନରେ ଅନେକ ଥର ଶକ୍ତିଶାଳୀ ଭୂମିକମ୍ପ ହୋଇଛି।












Leave a Reply