ଜିତୁ ମୁଣ୍ଡା ବ୍ୟାଙ୍କକୁ କଙ୍କାଳ ଆଣିବା ଘଟଣାରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଦାୟୀ; ପ୍ରାଥମିକ ତଦନ୍ତରୁ ଅନୁସନ୍ଧାନ କରି ଏଭଳି କହିଛନ୍ତି ଉତ୍ତରାଞ୍ଚଳ ଆରଡିସି ।

ଅକ୍ଷର ବ୍ୟୁରୋ: ଜିତୁ ମୁଣ୍ଡା ବ୍ୟାଙ୍କକୁ କଙ୍କାଳ ଆଣିବା ଅଭାବନୀୟ ଘଟଣାରେ ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଦାୟୀ । ପ୍ରାଥମିକ ଅନୁସନ୍ଧାନରୁ ଉତ୍ତରାଞ୍ଚଳ ଆରଡିସି ଘଟଣାର ତଦନ୍ତ କରି ଏଭଳି କହିଛନ୍ତି । ଜିତୁଙ୍କୁ ଟଙ୍କା ନଦେଇ ଫେରାଇ ଦେଇଥିଲେ କର୍ତ୍ତୃପକ୍ଷ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଠାରୁ ଏହି ଅଭାବନୀୟ ଘଟଣାରେ RDC ତଦନ୍ତ ହୋଇଛି । ଆଜି RDC ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପ୍ରଥମେ ପାଟଣା ସ୍ଥିତ ପଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ ।

ସେଠାରେ ବ୍ୟାଙ୍କ ମ୍ୟାନେଜର ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ । ଏହାସହିତ ବ୍ୟାଙ୍କର ସିସିଟିଭି ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଚେକ୍ କରିଥିଲେ । ପ୍ରାୟ ଏକ ଘଣ୍ଟା କାଳ ତଦନ୍ତ ପରେ ଏହି ସମ୍ବେଦନଶୀଳ ଘଟଣାର ସବୁ ସତ ସାମ୍ନାକୁ ଆସିଛି । ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କ କର୍ମଚାରୀ ଟଙ୍କା ନଦେଇ ଫେରାଇ ଦେଇଥିଲେ । ଦିନ ୧୧ଟା ୨୬ରେ ଜିତୁ ବ୍ୟାଙ୍କକୁ ଆସିଥିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଥିଲେ । ସେହି ସମୟରେ ସେ ୪ଥର ବ୍ୟାଙ୍କ କର୍ମଚାରୀଙ୍କୁ ଭେଟିଥିଲେ । ମୃତ ଭଉଣୀ କାଲାରା ମୁଣ୍ଡା ଜମା ରଖିଥିବା ୧୯ ହଜାର ୩୦୦ ଟଙ୍କା ଉଠାଇବାକୁ କହିଥିଲେ । ମାତ୍ର ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଉଠାଇବାରେ ବିଫଳ ହେବା ପରେ ବ୍ୟାଙ୍କ୍ ମ୍ୟାନେଜର ସହିତ ସାକ୍ଷାତ କରିଥିଲେ । ହେଲେ ଭଉଣୀର ମୃତ୍ୟୁ ପ୍ରମାଣ ପତ୍ର ଆଣିନଥିବାରୁ ତାଙ୍କୁ ସେ ମଧ୍ୟ ଫେରାଇ ଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଜିତୁ ଭଉଣୀର କଙ୍କାଳ ଆଣିଥିଲେ ବ୍ୟାଙ୍କ ସମ୍ମୁଖରେ ବସିରହିଥିଲେ ବୋଲି ଆରଡିସି ତଦନ୍ତରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)