ଅକ୍ଷର ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲୁଥିବା ବିଭାଗୀୟ ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ ଆଣିଛନ୍ତି। ଏଣିକି ତଦନ୍ତ ଅଧିକାରୀ (Inquiry Officer) ତାଙ୍କ ରିପୋର୍ଟରେ କୌଣସି ଦଣ୍ଡ କିମ୍ବା ଶାସ୍ତି ସୁପାରିସ କରିବେ ନାହିଁ।
ନୂତନ ନିର୍ଦ୍ଦେଶ ଅନୁଯାୟୀ, ତଦନ୍ତ ରିପୋର୍ଟ କେବଳ ଅଭିଯୋଗର ସତ୍ୟତା, ଉପସ୍ଥାପିତ ପ୍ରମାଣ ଓ ସେଥିପାଇଁ ଦିଆଯାଇଥିବା ମତାମତରେ ସୀମିତ ରହିବ। ଏହି ନିର୍ଦ୍ଦେଶ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ଜାରି କରାଯାଇଛି। ବର୍ତ୍ତମାନ ନିୟମ ଅନୁଯାୟୀ ତଦନ୍ତ ଅଧିକାରୀମାନେ ଅଭିଯୋଗ ପ୍ରମାଣିତ ହେଲେ ଦଣ୍ଡ ସୁପାରିସ କରୁଥିଲେ। କିନ୍ତୁ ସରକାର ସ୍ପଷ୍ଟ କରିଛନ୍ତି ଯେ ଦଣ୍ଡ ନିର୍ଦ୍ଧାରଣ ଓ ଲାଗୁ କରିବାର ସମ୍ପୂର୍ଣ୍ଣ କ୍ଷମତା କେବଳ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ପାଖରେ ରହିବ।
ସରକାରଙ୍କ ମତାନୁସାରେ, ଅନେକ କ୍ଷେତ୍ରରେ ତଦନ୍ତ ଅଧିକାରୀଙ୍କ ସୁପାରିସ ଅନୁଯାୟୀ ଦଣ୍ଡ ଲାଗୁ ନହେବାରୁ କର୍ମଚାରୀମାନେ ଅଦାଲତର ଆଶ୍ରୟ ନେଉଥିଲେ, ଯାହା ଫଳରେ ପ୍ରଶାସନିକ ଜଟିଳତା ଓ ମକଦ୍ଦମା ବୃଦ୍ଧି ପାଉଥିଲା। ନୂଆ ବ୍ୟବସ୍ଥାରେ ତଦନ୍ତ ରିପୋର୍ଟରେ ପ୍ରତ୍ୟେକ ଅଭିଯୋଗର ନିଷ୍କର୍ଷ, କାରଣ ଓ ପ୍ରମାଣର ବିସ୍ତୃତ ବିବରଣୀ ରହିବ। ଦଣ୍ଡ ସୁପାରିସ ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହି ନୂତନ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଶୃଙ୍ଖଳା କର୍ତ୍ତୃପକ୍ଷ ଓ ତଦନ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।














Leave a Reply