ଶିଖରପୁର ଚାଞ୍ଚଲ୍ୟ: ଗଛରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ରହସ୍ୟ ଘନୀଭୂତ

ଅକ୍ଷର ବ୍ୟୁରୋ: କଟକ ସହରର ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏକ ରହସ୍ୟମୟ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଏକ ଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ କୌତୁହଳ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରେ ଏହାକୁ ସନ୍ଦେହଜନକ ମୃତ୍ୟୁ ଭାବେ ଦେଖାଯାଉଥିବାବେଳେ, ହତ୍ୟା ପରେ ମୃତଦେହକୁ ଗଛରେ ଝୁଲାଇ ଦିଆଯାଇଥିବା ଆଶଙ୍କା ମଧ୍ୟ ପ୍ରକାଶ ପାଉଛି।

ସୂଚନା ଅନୁଯାୟୀ, ଶିଖରପୁର ଅଞ୍ଚଳରେ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାର ଖବର ପାଇ ଚାଉଳିଆଗଞ୍ଜ ଥାନା ଆଇଆଇସି ଏବଂ ଏସିପି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତଦେହକୁ ଗଛରୁ ତଳକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।

ଘଟଣାସ୍ଥଳରୁ ପୁଲିସ ଏକ ମୋବାଇଲ ଫୋନ ଜବତ କରିଛି। ତଦନ୍ତକାରୀ ଅଧିକାରୀଙ୍କ ମତରେ, ଏହି ମୋବାଇଲ ଫୋନ ହିଁ ଘଟଣାର ରହସ୍ୟ ଉଦ୍‌ଘାଟନର ମୁଖ୍ୟ ସୁରାକ ହୋଇପାରେ। ଫୋନର ଲକ୍‌ ଖୋଲିବା ପରେ ମୃତକଙ୍କ ପରିଚୟ, ତାଙ୍କର ଶେଷ କଲ୍‌, ସମ୍ପର୍କ ଏବଂ ଘଟଣା ପୂର୍ବର ପରିସ୍ଥିତି ସମ୍ପର୍କରେ ଅନେକ ତଥ୍ୟ ମିଳିପାରେ ବୋଲି ପୁଲିସ ଆଶା କରୁଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଛି। ଏହା ଆତ୍ମହତ୍ୟା, ଦୁର୍ଘଟଣାଜନିତ ମୃତ୍ୟୁ ନା କୌଣସି ସୁପରିକଳ୍ପିତ ହତ୍ୟାକାଣ୍ଡ, ସେନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। ପୁଲିସର କହିବା ଅନୁଯାୟୀ, ବ୍ୟବଚ୍ଛେଦ ରିପୋର୍ଟ ଏବଂ ମୋବାଇଲ ଫୋନରୁ ମିଳୁଥିବା ତଥ୍ୟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)