ନକଲି ସୁନାରେ ଋଣ ଠକେଇ ! ବ୍ୟାଙ୍କକୁ ଚୂନ ଲଗାଇବାକୁ ଆସି ଧରାପଡ଼ିଲେ ଦୁଇ ଯୁବକ

ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲାରେ ନକଲି ସୁନା ରଖି ବ୍ୟାଙ୍କରୁ ଋଣ ନେବାକୁ ଉଦ୍ୟମ କରିଥିବା ଦୁଇ ଯୁବକଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। କମର୍ଦ୍ଦା ଗ୍ରାମ୍ୟ ବ୍ୟାଙ୍କରେ ଘଟିଥିବା ଏହି ଠକେଇ ଉଦ୍ୟମ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସତର୍କତା ଯୋଗୁଁ ଧରାପଡ଼ିଥିବାବେଳେ ଏହା ପଛରେ ଏକ ବଡ଼ ଠକେଇ ରାକେଟ୍‌ର ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି। ଗିରଫ ଦୁଇ ଯୁବକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସେମାନେ ପୂର୍ବରୁ କମର୍ଦ୍ଦା ଗ୍ରାମ୍ୟ ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଇଥିଲେ। ପରେ ପୁଣିଥରେ ସୁନା ଗହଣା ନେଇ ବ୍ୟାଙ୍କରେ ଋଣ ପାଇଁ ଆସିଥିବାବେଳେ ସେମାନଙ୍କ ଗହଣାର ଓଜନ ଓ ଗଠନକୁ ଦେଖି ବ୍ୟାଙ୍କ ମ୍ୟାନେଜରଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସନ୍ଦେହ ହେବାରୁ ବ୍ୟାଙ୍କ ମ୍ୟାନେଜର ତୁରନ୍ତ ଜଣେ ଗହଣା ବ୍ୟବସାୟୀଙ୍କୁ ଡାକି ସୁନାର ସତ୍ୟତା ଯାଞ୍ଚ କରାଇଥିଲେ। ଯାଞ୍ଚ ବେଳେ ଗହଣାଗୁଡ଼ିକ ନକଲି ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଅଭିଯୋଗ ପାଇବା ପରେ କମର୍ଦ୍ଦା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ମାମଲା ନମ୍ବର ୧୫୨/୨୬ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ତଦନ୍ତ ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ଦୁଇ ଯୁବକଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି। ସେମାନେ ଅନ୍ୟାନ୍ୟ ବ୍ୟାଙ୍କରେ ମଧ୍ୟ ଏଭଳି ନକଲି ସୁନା ବନ୍ଧକ ରଖି ଋଣ ହାତେଇବା ଉଦ୍ୟମ କରିଥିବା ନେଇ ପୁଲିସ୍ ସୂଚନା ପାଇଛି। ଏହାକୁ ନେଇ ପୁଲିସ୍ ଏବେ ସେମାନଙ୍କ ଠକେଇ ନେଟୱର୍କ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ସଂପୃକ୍ତିର ଖୋଜଖବର ନେଉଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସତର୍କତା ଓ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଆର୍ଥିକ ଠକେଇ ରୋକାଯାଇଥିବାବେଳେ ଏହି ଘଟଣା ବ୍ୟାଙ୍କଗୁଡ଼ିକରେ ସୁନା ବନ୍ଧକ ଋଣ ପ୍ରକ୍ରିୟାରେ କଡ଼ା ଯାଞ୍ଚର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)