ସମ୍ବଲପୁର ଜନଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ୧୯.୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ।

ଗତକାଲି ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ଜନଅଭିଯୋଗ ଶୁଣାଣିରେ ଅନ୍‌ଲାଇନ ଓ ଅଫ୍‌ଲାଇନକୁ ମିଶାଇ ପ୍ରାୟ ୨୪୦୦ ଅଭିଯୋଗ ପଞ୍ଜୀକରଣ ହୋଇଥିଲା। ପ୍ରାୟ ୬ହଜାରରୁ ଅଧିକ ଲୋକ ନିଜ ଅଭିଯୋଗ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସହ ୧୧ ଜଣ ମନ୍ତ୍ରୀ, ବହୁ ବରିଷ୍ଠ ଅଧିକାରୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ୧୮ଜଣ ଦୁରାରୋଗ୍ୟ ପୀଡ଼ିତଙ୍କୁ ୧୯.୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ, ଆମ ସରକାର ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦେଇଥିଲା ଗତ ୧୦ମାସ ମଧ୍ୟରେ ସେଥିରୁ ଅଧିକାଂଶ ପୂରଣ କରିଛି। ଆଗାମୀ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଏଭଳି ଅଭିଯୋଗ ଶୁଣାଣି ଆୟୋଜିତ ହେବ। ପ୍ରକୃତପକ୍ଷେ ‘ଅରକ୍ଷିତକୁ ଆମ ସରକାର ସାହା’ ବୋଲି ଏହି ଜନଶୁଣାଣି ପ୍ରମାଣିତ କରିଥିବା ଶ୍ରୀ ମାଝୀ କହିଛନ୍ତି।

ଗତ ୯ଟି ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାଖଲ ହୋଇଥିବା ୯୩୭୭ ଅଭିଯୋଗ ମଧ୍ୟରୁ ୮୮% ଅଭିଯୋଗର ସମାଧାନ ହୋଇସାରିଛି। ଅନ୍‌ଲାଇନରେ ୧୦୦୦ ଅଭିଯୋଗ ପଞ୍ଜୀକରଣ ହୋଇଥିଲେ ହେଁ ସେଥିରେ ୪୦୦୦ରୁ ଅଧିକ ଲୋକ ଜଡ଼ିତ ଥିଲେ। ସମସ୍ତ ଅଭି‌ଯୋଗ ସହୃଦୟତାର ସହ ଶୁଣାଯାଇ ଯେତେସମ୍ଭବ ଶୀଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯାଉଛି। ସେହିପରି ଅଫ୍‌ଲାଇନରେ ଆସିଥିବା ୧୪୦୦ ଅଭିଯୋଗରେ ୨୦୦୦ରୁ ଅଧିକ ଲୋକ ଜଡିତ ଥିବା ବେଳେ ସେମାନଙ୍କ ଅଭିଯୋଗ ମଧ୍ୟ ପଞ୍ଜୀକରଣ କରାଯାଇଛି। ସେଗୁଡ଼ିକର ମଧ୍ୟ ଆଶୁ ସମାଧାନ ପାଇଁ ପ୍ରଯତ୍ନ କରାଯିବ। ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ଉପେକ୍ଷା ନ କରୁ, ତାହା ଆମର ମୂଳଲକ୍ଷ୍ୟ। ଗରିବ ଲୋକେ ଯେପରି ଅନୁଭବ ନ କରନ୍ତି ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ। ଆମେ କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଶୁଣାଣି କରିବାକୁ ନିଷ୍ପତ୍ତି ନେଇଛୁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)