ଆସନ୍ତାକାଲି ଦେଶର ୨୪୪ଟି ଜିଲ୍ଲାରେ ଏକ ବିଶାଳ ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ; ଆତଙ୍କିତ ନ ହେବାକୁ ଅନୁରୋଧ

ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ମେ ୭ ତାରିଖରେ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲ୍ଲାରେ ଏକ ବିଶାଳ ମକ ଡ୍ରିଲ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଡ୍ରିଲ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁଦ୍ଧ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିରେ ସିଭିଲ ଡିଫେନ୍ସ ବ୍ୟବସ୍ଥାର ପ୍ରସ୍ତୁତି ଯାଞ୍ଚ କରିବା ଓ ଏହାକୁ ଆହୁରି ସୁଦୃଢ କରିବା। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ଅନେକ ନିରୀହ ନାଗରିକ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ତା’ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଏହି ମକ ଡ୍ରିଲରେ ଏୟାର ରେଡ ସାଇରେନ ପରୀକ୍ଷା, ବ୍ଲାକଆଉଟ ଅଭ୍ୟାସ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ଲାଗମାର୍ଚ୍ଚ ଏବଂ ନାଗରିକମାନଙ୍କୁ ଆକ୍ରମଣ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ତାଲିମ ଦିଆଯିବ। ଏଥିରେ ଜିଲ୍ଲା ପ୍ରଶାସନ, ରାଜ୍ୟ ବିପର୍ଯ୍ୟୟ ପ୍ରତିକାର ବାହିନୀ, ସ୍ବାସ୍ଥ୍ୟ ବିଭାଗ, ସ୍ଥାନୀୟ ପୁଲିସ, ହୋମ ଗାର୍ଡ, ଏନ୍ସିସି, ଏନଏସଏସ ଓ ସ୍କୁଲ-କଲେଜ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଦେଶରେ ୧୯୭୧ ମସିହା ପରେ ପ୍ରଥମ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ଡ୍ରିଲ। ୧୯୯୯ କାରଗିଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ଅଭ୍ୟାସ କରାଯାଇ ନଥିଲା। ଅଧିକାରୀମାନେ ଜନସାଧାରଣଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଏହା କେବଳ ଏକ ସତର୍କତାମୂଳକ ଅଭ୍ୟାସ ଯାହା ଦେଶର ସୁରକ୍ଷା ଓ ସ୍ଥିତିସ୍ଥାପକତା ବୃଦ୍ଧି କରିବ। ସେହିପରି ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, ବାଲେଶ୍ୱର, ଗୋପାଳପୁର, ହୀରାକୁଦ, ରାଉରକେଲା, ତାଳଚେର, କୋରାପୁଟ, ଧାମରା, ଢେଙ୍କାନାଳ, ପାରାଦୀପ, କେନ୍ଦ୍ରାପଡା ଓ ପୁରୀ ଆଦି ୧୨ଟି ସ୍ଥାନରେ ଏହି ମକ ଡ୍ରିଲ ଅନୁଷ୍ଠିତ ହେବ। ସରକାର ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଏବଂ ସ୍ଥାନୀୟ ପ୍ରଶାସନ ଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial