ଆସନ୍ତାକାଲି ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ରାଜସ୍ୱ ଓ ମାଜିଷ୍ଟେରିଆଲ କୋର୍ଟ ଛୁଟି ରହିବ। ଅତ୍ୟଧିକ ଭିଡ଼ ଓ ଟ୍ରାଫିକ୍ ସମସ୍ୟା ଆଶଙ୍କାରେ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତିକୁ ନେଇ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ସୁରକ୍ଷା ଦାୟିତ୍ବରେ ୧୩୩ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ମୁତୟନ କରାଯିବ। ଏଥିସହ ଡିସିପି ବା ଏସ୍ପି ପାହ୍ୟାର ୧୬ ଅଧିକାରୀ, ୩୩ ଅତିରିକ୍ତ ଡିସିପି, ୯୩ ଏସିପି ବା ଡିଏସ୍ପି, ୧୦୬ ଇନ୍ସପେକ୍ଟର, ୪୫୫ ଏସ୍ଆଇ ଓ ଏଏସ୍ଆଇ, ୧୮୯ ମହିଳା ପୁଲିସ, ୨୯୧ଜଣ ଗୃହରକ୍ଷୀ ନିୟୋଜିତ ହେବ। ଅନୁରୂପ ଭାବେ ୮ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଦଳ, ଦୁଇ ୟୁନିଟ୍ ଏସ୍ଟିୟୁ, ୬ ୟୁନିଟ୍ କ୍ୟୁଆର୍ଟି, ଗୁଇନ୍ଦା, ସ୍ବତନ୍ତ୍ର ତଦନ୍ତକାରୀ ଦଳ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀକୁକୁର ଓ ସାଦା ପୋଷାକରେ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ।
ଏଥିସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହ କମିସନରେଟ ପୁଲିସର ମିଳିତ ସମନ୍ବୟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ଏୟାରପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବିମାନବନ୍ଦରରୁ ଏଜିଛକ-ରାଜଭବନ ଗୋଲେଇ-ଜୟଦେବବିହାର ଓ ଜନତା ମଇଦାନ ପର୍ଯ୍ୟନ୍ତ ରୁଟ୍ ଲାଇନ୍ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ସୁପରିଚାଳନା ଲାଗି ଗୁରୁତ୍ବ ଦିଆଯାଇଛି। ରୁଟ୍ଲାଇନ୍ ସହ ଟ୍ରାଫିକ ପରିଚାଳନା ଲାଗି ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ ଆୟୁକ୍ତ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ସେହିପରି ବିଭିନ୍ନ ଛକରେ ଟ୍ରାଫିକ କଟକଣା ଲାଗି ନିର୍ଦେଶାବଳୀ ଜାରି ସହ ଆସନ୍ତକାଲି କାରକେଡ୍ ରିହରସାଲ୍ କରାଯିବ ବୋଲି ଜଣାପଡ଼ିଛି।












Leave a Reply