ବର୍ତ୍ତମାନ ବିପଦ ସଙ୍କେତରେ ସୁବର୍ଣ୍ଣରେଖାର ଜଳସ୍ତର; ବନ୍ୟାପାଣି ପଶି ଧନ ଜୀବନ କ୍ଷୟକ୍ଷତି ।

ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ । ହଠାତ୍ ଏତେ ମାତ୍ରାରେ ପାଣି ମାଡିବାରୁ ଗାଁ ଲୋକେ ବର୍ଷିଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ବାଉଁଶଖଣା ଓ ମାଟିଖଣା ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି । ବନ୍ୟା ଆସିବା ନେଇ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ଖବର ପହଞ୍ଚା ଯାଇନଥିଲା, ଯେଉଁଥି ପାଇଁ ଧନ ଜୀବନକୁ କେମେତି ଏତେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେବେ ତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀର ଏହା ହେଉଛି ପ୍ରଥମ ବନ୍ୟା ପାଣି, ଏହା ପ୍ରଭାବରେ ଭୋଗରାଇର ବିଭିନ୍ନ ତଳିଆ ଗାଁରେ ପାଣି ପଶିବା ଆରମ୍ଭ କରିଛି । ତେବେ ବର୍ତ୍ତମାନ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖାର ଜଳସ୍ତର । ବନ୍ୟା ପାଣି ଏବେ ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ପଶିଛି । ନଦୀର ଉପର ମୁଣ୍ଡ ଝାଡ଼ଖଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗାଲୁଡିହି ବ୍ୟାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ଠାରେ ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ୧୧.୪୦ ମିଟରରେ ପ୍ରବାହିତ ହେଉଛି । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅଛନ୍ତି ନଦୀ କୂଳିଆ ଲୋକେ । ଅନେକ ସ୍ଥାନରେ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି ।

ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ହେଉଥିବାରୁ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରେ ସମସ୍ତ ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ବିନା ନିର୍ଦ୍ଦେଶରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ବନ୍ୟା ଆଶଙ୍କା ରହିଛି। ତେଣୁ ଏହି ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ପାଇଁ କୁହାଯାଇଛି । ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ବି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)