ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ କାଳିଆପାଳ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଗାଁ ନିକଟ ଟାଙ୍କୁଜୁରା ନାଳରେ ବନ୍ୟାଜଳ ପ୍ରବାହିତ ହେବାରୁ ପୋଲ ଉପରେ ଆଣ୍ଠୁଏ ପାଣି ଚାଲିଥିଲା। ଫଳରେ ଗର୍ଭବତୀ ମହିଳାଙ୍କୁ ନେବାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ନାଳ ପାର୍ ହୋଇପାରିନଥିଲା।
ସୂଚନା ଅନୁସାରେ, କାଳିଆପାଳ ଗ୍ରାମର ସନ୍ତୋଷ ନାୟକଙ୍କ ପତ୍ନୀ ପଦ୍ମିନୀ ଶବରଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ସନ୍ତୋଷ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ସମୟରେ ପହଞ୍ଚିଥିଲେ ମଧ୍ୟ ଟାଙ୍କୁଜୁରା ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଆଗକୁ ଯାଇପାରିନଥିଲା। ଏଭଳି ସ୍ଥିତିରେ ଆଶା ଦିଦି ଓ ପରିବାର ଲୋକେ ମିଶି ଗର୍ଭବତୀ ପଦ୍ମିନୀଙ୍କୁ ବୋହି ନାଳ ପାର୍ କରାଇଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଉଥିବା ବେଳେ ଆମ୍ବୁଲାନ୍ସ ଭିତରେ ହିଁ ପଦ୍ମିନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା’ ଓ ନବଜାତ ଶିଶୁ ବାରକୋଟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଲଗାଣ ବର୍ଷା ଯୋଗୁଁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ଏବଂ ଜରୁରୀ ସମୟରେ ଆମ୍ବୁଲାନ୍ସ ନାଳ ପାର୍ ହୋଇନପାରିବା ଘଟଣା ଗ୍ରାମବାସୀଙ୍କ ଦୁର୍ଦ୍ଦଶାକୁ ପଦାରେ ପକାଇଛି।














Leave a Reply