ପ୍ରବଳ ବର୍ଷାରେ ଜୁଡିଆ ଘାଟିରେ ଭୂସ୍ଖଳନ: NH-49ର ଗୋଟିଏ ପାର୍ଶ୍ୱ ଅବରୋଧ, ବଢ଼ିଲା ବିପଦ

ଅକ୍ଷର ବ୍ୟୁରୋ: ପ୍ରବଳ ବର୍ଷା ମଧ୍ୟରେ କେନ୍ଦୁଝରର ଜୁଡିଆ ଘାଟିରେ ବଡ଼ ଅଘଟଣ। ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଖସି ଜାତୀୟ ରାଜପଥ-୪୯ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଛି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଗୋଟିଏ ପାର୍ଶ୍ୱ ଦେଇ ଉଭୟ ଦିଗର ଗାଡ଼ି ଚଳାଚଳ କରୁଛି।

ସୂଚନା ଅନୁସାରେ, ଗତକାଲି କେନ୍ଦୁଝର ସହରରେ ଲଗାଣ ବର୍ଷା ପରେ ଜୁଡିଆ ଘାଟିର ବିଭିନ୍ନ ସ୍ଥାନରୁ ପାହାଡ଼ରୁ ପଥର ଓ ମାଟି ଖସିଥିଲା। ଏହାପରେ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ ହୋଇଯାଇଥିଲା। ଗୋଟିଏ ପାର୍ଶ୍ୱରେ ଉଭୟ ଦିଗର ଯାନବାହନ ଚଳାଚଳ କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖାଦେଇଛି।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଭୂସ୍ଖଳନକୁ ପ୍ରାୟ ୧୮ ଘଣ୍ଟା ବିତିଥିଲେ ମଧ୍ୟ ରାସ୍ତାରୁ ପଥର ଓ ମାଟି ସଫେଇ କାମ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଗାଡ଼ି ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ, ବର୍ଷା ଏବେ ବି ଜାରି ରହିଥିବାରୁ ଜୁଡିଆ ଘାଟିରେ ପୁଣି ପଥର ଓ ମାଟି ଖସିବାର ଆଶଙ୍କା ରହିଛି। ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ତେଣୁ ତୁରନ୍ତ ରାସ୍ତା ସଫେଇ କରି ଯାତାୟାତ ସ୍ୱାଭାବିକ କରିବା ସହ ଜୁଡିଆ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial