ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର; କିଏ ହେବ ଆଉଟ୍‌, କିଏ ହେବ ଇନ୍‌, ସେନେଇ ଚାଲିଛି କଳ୍ପନାଜଳ୍ପନା !

ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର । କିଏ ହେବ ଆଉଟ୍‌, କିଏ ହେବ ଇନ୍‌ । ଚାଲିଛି କଳ୍ପନାଜଳ୍ପନା । ରାଜ୍ୟ କ୍ୟାବିନେଟ୍‌ର ୬ ମନ୍ତ୍ରୀ ପଦ ଖାଲି ପଡିଛି । ଯାହାକୁ ନେଇ ଆଶାୟୀଙ୍କ ତାଲିକା ଖୁବ୍‌ ଲମ୍ବା । ଆଶାୟୀଙ୍କ ଆଖିକୁ ନିଦ ନାହିଁ । ହାଇକମାଣ୍ଡ କାହା ମୁଣ୍ଡରେ ଢାଳିବେ ସୁନାକଳସ । ବିଜେପି ବିଧାୟକ ଓ ନେତାମାନେ ଏବେ ଛଟପଟ । ରାଜ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ନେବେ ମୋହନ । କିଏ ବାଦ୍‌ ପଡ଼ିବେ, ନୂଆ କିଏ ସାମିଲ ହେବେ । ଏ ସମ୍ପର୍କିତ ସମ୍ଭାବ୍ୟ ତାଲିକାରେ ବାଜିବ ନୂଆଦିଲ୍ଲୀ ମୋହର । ଏହାଛଡ଼ା ନିଗମ ଓ ବୋର୍ଡରେ ମଧ୍ୟ କେଉଁ ପଦ୍ମନେତା ନିଯୁକ୍ତି ପାଇବେ ତାକୁ ନେଇ ଉତ୍କଣ୍ଠା ବଢ଼ି ଚାଲିଛି । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଶୀର୍ଷ ନେତୃତ୍ୱ ସହ ବୈଠକ ପରେ ଚୂଡ଼ାନ୍ତ ତାଲିକାରେ ମୋହର ବାଜିବ ।

ମୋହନଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ଦଳ ପାଇଁ ବର୍ଷ ବର୍ଷ ଧରି ନିଷ୍ଠାର ସହ କାମ କରିଥିବା ନେତାମାନେ ନିଗମ ଓ ବୋର୍ଡରେ ଥଇଥାନ ହେବାକୁ ଗୋଡ଼ ଟେକି ବସିଛନ୍ତି । ଦିଲ୍ଲୀ ସୂତ୍ର କହୁଛି, ନିକଟରେ ନୂଆ ସଭାପତି ଚୟନ ପରେ ଏ ସଂପର୍କିତ ସମ୍ଭାବ୍ୟ ତାଲିକା ଧରି ଦୁଇ ନେତା ଦିଲ୍ଲୀରେ କାଳେ ପ୍ରାଥମିକ ଭାବେ ଆଲୋଚନା କରିଛନ୍ତି । ସଂଗଠନ ଓ ସରକାର ହାତ ଧରାଧରି ହୋଇ ବାଟ ଚାଲିବାକୁ ବିଜେପି ନିଷ୍ପତ୍ତି ନେଇଥିଲା ବେଳେ ମନ୍ତ୍ରୀ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀଙ୍କ ସହ ମନମୋହନଙ୍କ ପସନ୍ଦ ଓ ସମର୍ଥନର ମଧ୍ୟ ବଡ଼ ଭୂମିକା ରହିବ । ଏହି ଯୋଡ଼ି ମନ୍ତ୍ରୀ ଭାବେ କାହା ନାଁ ଏବଂ ବୋର୍ଡ/ନିଗମ ପାଇଁ କାହାର ନାଁ ତାଲିକାରେ ରଖିଛନ୍ତି ତାହାକୁ ନେଇ ବିଜେପି ପାର୍ଟି ଅଫିସରେ ନାନା କଳ୍ପନାଜଳ୍ପନା ଲାଗି ରହିଛି ।

ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଗ୍ରହଣ ପରେ ଦିଲ୍ଲୀ ଯାଇଛନ୍ତି ମନମୋହନ । ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀରେ ଅଛନ୍ତି । ସେ ଶୁକ୍ରବାର ଆରଏସ୍‌ଏସ୍‌ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ୍‌ ସନ୍ତୋଷଙ୍କୁ ଭେଟିଛନ୍ତି । ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଛନ୍ତି । ମନମୋହନ ମଧ୍ୟ ସଂଘର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଜୋର ଦେଉଛି । ବିଜେପି ହାଇକମାଣ୍ଡ ସରକାର ଓ ସଂଗଠନ ମଧ୍ୟରେ ପୂର୍ଣ୍ଣ ସମନ୍ୱୟକୁ ଜୋର୍‌ ଦେଉଥିବାରୁ ମୋହନ- ମନମୋହନଙ୍କୁ କାଳେ ଦିଲ୍ଲୀରୁ ଡକରା ଆସିଛି । ବୋର୍ଡ ଓ ନିଗମ ନିଯୁକ୍ତି ପରେ ମନମୋହନ ଗଢ଼ିବେ ନିଜର ନୂଆ ଟିମ୍‌ । ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀରେ ଥିବାରୁ ଆଶାୟୀମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି । ତେବେ ଖୁବଶୀଘ୍ର ଖାଲି ଥିବା ମନ୍ତ୍ରୀ ପଦକୁ ପୂରଣ କରାଯିବ ବୋଲି ନିକଟରେ କହିଥିଲେ ରାଜ୍ୟ ବିଜେପି ସଭାପତି ।

୨ୟ ଥର ଲାଗି ରାଜ୍ୟ ବିଜେପି ସଭାପତିର ମଙ୍ଗ ଧରିବା ପରେ ମନମୋହନ ସାମଲ ଏହି ସୂଚନା ଦେଇଥିଲେ । ଏହାସହିତ ଖାଲି ପଡିଥିବା ନିଗମ ଓ ବୋର୍ଡର ଅଧ୍ୟକ୍ଷଙ୍କୁ ବି ଖୁବଶୀଘ୍ର ନିଯୁକ୍ତି ଦିଆଯିବ। ମିଳିଥିବା ଖବର ଅନୁସାରେ, ରାଜ୍ୟରେ ଖାଲିଥିବା ମନ୍ତ୍ରୀ ପଦ ଏବଂ ନିଗମ ଓ ବୋର୍ଡରେ କେଉଁ ନେତାଙ୍କ ନିଯୁକ୍ତି ଦିଆଯିବ । ସେନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏନେଇ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ତାପରେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ମୋହର ମରାଯିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏହି ଧାର୍ଯ୍ୟ ତାଲିକା ହାଇକମାଣ୍ଡଙ୍କୁ ଦେଖାସରିଛି । ଆଉ ଏବେ ଶେଷ ଥର ପାଇଁ ବରିଷ୍ଠ ନେତାଙ୍କୁ ତାଲିକା ପ୍ରଦାନ କରାଯିବ । ଆଗାମୀ ଦିନରେ କିପରି ସଂଗଠନ ଓ ସରକାର ଏକାଠି କାମ କରିବେ । ତା ଉପରେ ମଧ୍ୟ ଆଲୋଚନା ହେବ। ତେଣୁ ମନ୍ତ୍ରୀ ଓ ନିଗମର ଅଧ୍ୟକ୍ଷଙ୍କ ନିଯୁକ୍ତିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ପସନ୍ଦ ଓ ସମର୍ଥନ ବଡ଼ ଭୂମିକା ରହିପାରେ । ମୁଖ୍ୟମନ୍ତ୍ରୀ ଓ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ରାଜ୍ୟରେ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)