ଝାରସୁଗୁଡ଼ାରୁ BSNL ର ସ୍ୱଦେଶୀ 4G ନେଟୱର୍କ ଆରମ୍ଭ । ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଝାରସୁଗୁଡ଼ାରୁ BSNL ର ସ୍ୱଦେଶୀ 4G ନେଟୱର୍କ ଉଦ୍ଘାଟନ କରିଛନ୍ତି ମୋଦୀ । ଭାରତ ବର୍ତ୍ତମାନ ଦୂରସଞ୍ଚାର ଉପକରଣ ନିର୍ମାଣ କରୁଥିବା ପ୍ରତିଷ୍ଠିତ ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି । BSNL ର ରୌପ୍ୟ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ୯୭,୫୦୦ ରୁ ଅଧିକ 4G ମୋବାଇଲ ଟାୱାର ମଧ୍ୟ ଉଦ୍ଘାଟନ କରିଛନ୍ତି । ଯେଉଁଥିରୁ ୯୨,୬୦୦ ଟାୱାର ଏହି ଟେଲିକମ୍ ସେବା ପ୍ରଦାନକାରୀଙ୍କ 4G ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ । ଏହି ଟାୱାରଗୁଡ଼ିକ ପ୍ରାୟ ୩୭,୦୦୦ କୋଟି ଟଙ୍କା ବ୍ୟୟରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ନିର୍ମିତ ହୋଇଛି । ସ୍ୱଦେଶୀ 4G ନେଟୱର୍କର ଶୁଭାରମ୍ଭ ସହିତ ଭାରତ ମଧ୍ୟ ଡେନମାର୍କ, ସ୍ୱିଡେନ, ଦକ୍ଷିଣ କୋରିଆ ଏବଂ ଚୀନ ଭଳି ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି, ଯେଉଁମାନେ ସ୍ୱଦେଶୀ ଦୂରସଞ୍ଚାର ଉପକରଣ ତିଆରି କରନ୍ତି ।
ତେବେ ଏହା ସାରା ଦେଶରେ BSNL ଗ୍ରାହକମାନଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବ । ଏହା ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବ । ଏହା BSNL ର 5G ନେଟୱର୍କ ଆରମ୍ଭ କରିବା ଏବଂ ଏକୀକରଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ । ଏହା ଦ୍ୱାରା ୨୬,୭୦୦ରୁ ଅଧିକ ଅପହଞ୍ଚ ଅଞ୍ଚଳ , ସୀମାନ୍ତ ଅଞ୍ଚଳ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ଗାଁଗୁଡ଼ିକୁ ସଂଯୋଗ ମିଳିବ । ଯେଉଁଥିରେ ଓଡ଼ିଶାର ୨୪୭୨ ଗାଁ ମଧ୍ୟ ସାମିଲ ଅଛି । ଏହା ଦ୍ୱାରା ୨୦ ଲକ୍ଷରୁ ଅଧିକ ନୂଆ ଗ୍ରାହକଙ୍କୁ ସେବା ମିଳିବ । ଏହି 4G ମୋବାଇଲ ଟାୱାରଗୁଡ଼ିକ ସୌର ଶକ୍ତିରେ ଚାଲେ, ଯାହା ଦ୍ୱାରା ଏଗୁଡ଼ିକ ଭାରତର ସବୁଠାରୁ ବଡ଼ ସବୁଜ ଦୂରସଞ୍ଚାର କେନ୍ଦ୍ରଗୁଡ଼ିକର ସମୂହ ହୋଇପାରିଛି । ଏହା ଏକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ ।












Leave a Reply