ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୧୪୮ତମ ଜନ୍ମ ଜୟନ୍ତୀ ।

ଉତ୍କଳର ମଣି ତଥା ଉତ୍କଳର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ୧୪୮ତମ ଜନ୍ମ ଜୟନ୍ତୀ । ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି କୋଟି କୋଟି ଓଡ଼ିଆଙ୍କ ମନରେ ସତେଜ ହୋଇ ଅଛନ୍ତି ଉତ୍କଳର ସେଇ ସୁଯୋଗ୍ୟ ସନ୍ତାନ । ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରାରେ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ଓ ଲେଖକ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ତାଙ୍କର ଅନେକ ନିସ୍ଵାର୍ଥପର ଅବଦାନ ରହିଥିବାରୁ ସେ “ଉତ୍କଳମଣି” ନାମରେ ପରିଚିତ । ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ରୂପେ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଦେଇଥିଲେ ଏବଂ ତାଙ୍କ ନିସ୍ଵାର୍ଥପର ସେବା ପାଇଁ ଓଡିଶାବାସୀ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲେ । ସେ ଖାଲି ସାମାଜିକ କର୍ମୀ ଥିଲେ ତା ନୁହେଁ, ଜଣେ ଶିକ୍ଷକ, କବି, ସାମାଜିକ ବିପ୍ଳବ କ୍ଷେତ୍ରରେ ବି ତାଙ୍କର ବିଶେଷ ଭୂମିକା ରହିଥିଲା । ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ବି ତାଙ୍କ ଅବଦାନ ବି କିଛି କମ୍ ନଥିଲା । ମାଡ୍ରାସ, ବେଙ୍ଗଲ, ବିହାରରୁ ପ୍ରବାସୀ ଓଡ଼ିଆମାନଙ୍କୁ ଏକାଠି କରି ସେମାନଙ୍କୁ ଓଡ଼ିଆ ବୋଲି ପରିଚୟ ଦେବାରେ ତାଙ୍କ ଭୂମିକା ଥିଲା ଅତୂଳନୀୟ ।

ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ଓଡିଶାର ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୈତାରି ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ । ତାଙ୍କୁ ଖୁବ ଅଳ୍ପ ବୟସ ହୋଇଥିବା ବେଳେ ତାଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିଲା । ସେ ପିଉସୀ କମଳା ଦେବୀଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ । ମା’ଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇ ଥିଲେ । ପିଲାବେଳୁ ହିଁ ସେ ଲୋକଙ୍କ ସେବା କରିବାକୁ ଭଲ ପାଉଥିଲେ । ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗି ପଡ଼ିଥିଲେ । ଗୋବବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ ପାସ କରି, କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଏହି ସମୟରେ ତାଙ୍କର ବାପାଙ୍କ ମୃତ୍ୟୁ ଘଟିଥିଲା । କଲେଜ କ୍ୟାରିୟରରେ ନିଜ ସାଙ୍ଗ ସାଥୀଙ୍କୁ ସାମାଜିକ, ଆର୍ଥିକ, ତଥା ରାଜନୈତିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ କାମ କରିବାକୁ ପ୍ରୋତ୍ସାହିତ କରିଆସୁଥିଲେ ।

କଟକ ରେଭେନ୍ସା ମହାବିଦ୍ୟାଳୟରେ ବି.ଏ. ପାସ୍ କଲା ପରେ କଲିକତାରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଗୋପବନ୍ଧୁଙ୍କ ରାଜନୈତିକ ଜୀବନ ୧୯୦୩ରେ ଆରମ୍ଭ ହୋଇଥିଲା । ସେ “ଉତ୍କଳ ସମ୍ମିଳନୀ” ନାମକ ଏକ ସଂଗଠନ ଗଠନ କରିଥିଲେ । ପରେ ୧୯୦୯ରେ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ଠାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯେଉଁଠି ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ ଛାତ୍ର ମାନଙ୍କୁ ଶିକ୍ଷାଦାନ ଦିଆଯାଉଥିଲା । ସାହିତ୍ୟ ଓ ସମାଜସେବା ସହିତ ଜଡ଼ିତ ଗୋପବନ୍ଧୁଙ୍କ ଅନନ୍ୟ କୃତି ହେଉଛି ‘ସମାଜ’ । ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ତଥା କଂଗ୍ରେସର ଆଭିମୁଖ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ୧୯୧୯ ଅକ୍ଟୋବର ୪ ତାରିଖ ଦଶହରା ତିଥିରେ ସେ ସମାଜ ଖବରକାଗଜ ପ୍ରତିଷ୍ଠା କରିଥିଲେ । ସମାଜ ପ୍ରଥମେ ସତ୍ୟବାଦୀରୁ ସାପ୍ତାହିକ ଖବର କାଗଜ ଭାବେ ପ୍ରକାଶ ପାଉଥିଲା । ପରେ ୧୯୨୪ରେ ପୁରୀରୁ ଓ ୧୯୨୭ରେ କଟକରୁ ପ୍ରକାଶ ପାଇଲା । ୧୯୩୦ ମସିହାରେ ଏହା ସାପ୍ତାହିକ ଖବର କାଗଜରୁ ଦୈନିକ ଖବରକାଗଜରେ ପରିଣତ ହେଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)