ଡ଼ିସେମ୍ବର ୨୪ରେ ଆରମ୍ଭ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା; ଚଳିତ ବର୍ଷ କଂସ ସମେତ ପାତ୍ର, ମନ୍ତ୍ରୀ ପ୍ରମୁଖ କଳାକାର ଚୟନ ନେଇ ଜିଲ୍ଲାପାଳଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଡ଼ିସେମ୍ବର ୨୪ରେ ଆରମ୍ଭ ହେବ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା । ଜାନୁୟାରି ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ଵର ସର୍ବ ବୃହତ୍ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳିତ ବର୍ଷ କଂସ ସମେତ ପାତ୍ର, ମନ୍ତ୍ରୀ ପ୍ରମୁଖ କଳାକାରଙ୍କ ଚୟନ ହେବ । ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଧନୁଯାତ୍ରାର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ମଧ୍ୟ କଂସ ଚୟନରେ ବିବାଦ ଘେରରେ ଥିବା ହୃଷୀକେଶ ସାମିଲ ହୋଇପାରିବେ ନାହିଁ ।

ବରଗଡ଼ର ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ଖୋଲା ମଞ୍ଚ ନାଟକ ଭାବେ ଏବଂ ଏହା ଜିଲାର ଗୌରବ, ସଂସ୍କୃତି ଓ ଐତିହ୍ୟର ପ୍ରତିକ । ତେଣୁ ସମସ୍ତ ଏକତ୍ରିତ ହୋଇ ସମନ୍ୱିତ ଉଦ୍ୟମ ଦ୍ୱାରା ଧନୁଯାତ୍ରାର ଐତିହ୍ୟ, ଗୌରବ ଓ ମହିମାକୁ ଅକ୍ଷୁର୍ଣ୍ଣ ରଖିବାରେ କାର୍ଯ୍ୟ କରିବା ପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମହୋତ୍ସବର ସଫଳ ଆୟୋଜନ ପାଇଁ ବିଭିନ୍ନ ବିଷୟରେ ଚର୍ଚ୍ଚା ହୋଇଥିଲା । ଗତ ବର୍ଷର ଆୟବ୍ୟୟର ସମୀକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାର ଦୃଢୀକରଣ, କଳାକାର ଚୟନ ପ୍ରକ୍ରିୟାରେ ସ୍ପଚ୍ଛତା, ବଜେଟ ପ୍ରସ୍ତୁତି ଓ କାର୍ଯ୍ୟ ସଂଚାଳନ ଯୋଜନା ପ୍ରସ୍ତୁତି ଆଦି ଉପରେ ବୈଠକରେ ଆଲୋଚନା ହୋଇଥିଲା । ସେହିପରି ମହୋତ୍ସବକୁ ସୁରକ୍ଷିତ ଓ ନିରାପଦଭାବେ ସମାପନ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା। । ସମ୍ପାଦକ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)