ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ପୁଲିସ କବଜାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ।

ଅକ୍ଷର ବ୍ୟୁରୋ: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼ । ପୁଲିସ କବଜାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ସେପଟେ ରାତିସାରା ଥାନା ଆଗରେ ଦଳୀୟ କର୍ମୀଙ୍କ ବିକ୍ଷୋଭ । ଯେକୌଣସି ମୁହୁର୍ତ୍ତରେ ଏହି ହତ୍ୟାକାଣ୍ଡର ରହସ୍ୟ ଖୋଲିପାରେ । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଛି ପୁଲିସ । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଛି ବ୍ରହ୍ମପୁର ପୁଲିସ । ରିଜର୍ଭ ବାରାକରେ ରଖି ପଚରା ଉଚୁରା କରାଯାଉଥିବା ଜଣାପଡ଼ିଛି । ଏକ ଟ୍ରାଞ୍ଜାକ୍ସନ ମାମଲାରେ ତାଙ୍କୁ ପୁଲିସ ଡକାଇଥିଲା । 

ବିକ୍ରମ ପଣ୍ଡାଙ୍କୁ ଗଜପତି ନଗର ସ୍ଥିତ ବାସ ଭବନରୁ ଉଠାଇ ଆଣି ଜେରା କରିବା ସହ ସାର୍ପସୁଟର ଚିଣ୍ଟୁକୁ ପୁଲିସ ବେଙ୍ଗାଲୁରୁରୁ ଟେକି ଆଣିଛି । ଚିଣ୍ଟୁ ନିକଟରୁ ଏକ ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି । ସେପଟେ ପୁରୀରୁ ଆଉ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି । ସମୁଦ୍ର ବାଲିରେ ସେ ଲୁଚାଇଥିବା ଆଉ ଏକ ବନ୍ଧୁକ ବି ଜବତ ହୋଇଛି । ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି । ଲାଗୁଛି ଖୁବଶୀଘ୍ର ପୀତବାସ ହତ୍ୟା ଘଟଣାରୁ ପରଦା ହଟିବ । ସେପଟେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ । ଆଜି ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଉଛି ।

ସବୁ ଜଣାପଡ଼ିବା ପରେ ସାମ୍ବାଦିକ ସମ୍ମିଳନୀ କରି ସତ ଖୋଲିବ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଥିଲେ ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର । ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ । ଛାତି କଣା କରି ମେରୁଦଣ୍ଡରେ ଅଟକିଥିଲା ଗୁଳି, ଏହାକୁ କାଢ଼ିବାକୁ ଦେଢ଼ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଅତି ନିକଟରୁ ଗୁଳିମାଡ଼ ହୋଇଥିବା ସ୍ପଷ୍ଟ ହୋଇଛି । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣାରେ ୧୦୦୦ରୁ ଅଧିକ ସିସି କ୍ୟାମେରା ପୁଲିସ ଯାଞ୍ଚ କରିଥିବାବେଳେ ୮୦ରୁ ଅଧିକ ଲୋକଙ୍କୁ ପଚରା ଉଚୁରା କରିଛି ପୁଲିସ । ବ୍ୟାବସାୟିକ, ରାଜନୈତିକ, ବ୍ୟକ୍ତିଗତ ଶତ୍ରୁତା ଲିଙ୍କ୍‌ରେ ତଦନ୍ତ ମାଷ୍ଟରମାଇଣ୍ଡକୁ ଖୋଜିବାକୁ ଲାଗିଗଲା ୧୮ ଦିନ । ତେବେ ଏବେ ଏହି ଘଟଣାରେ ବିକ୍ରମ ପଣ୍ଡଙ୍କୁ ପଚରାଉଚରା କରୁଛି ପୁଲିସ । ଦେଖିବାକୁ ବାକି ରହିଲା ଏହି ଘଟଣାରେ ପ୍ରକୃତ ଦୋଷୀ କିଏ । ଏବଂ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟଣାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)