ଅକ୍ଷର ବ୍ୟୁରୋ: ଆଜି ପବିତ୍ର ମାର୍ଗଶିର ମାସ ଅମାବାସ୍ୟା ତିଥି । ଶ୍ରୀମନ୍ଦିରରେ ଦେବ ଦୀପାବଳୀର ଦ୍ୱିତୀୟ ଦିନ । ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିବେ । ଆଜି ଦ୍ୱିତୀୟ ଦିନରେ ପିତା ଦଶରଥ ଓ ମାତା କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରିବେ ମହାପ୍ରଭୁ । ଦ୍ୱିପହର ଧୂପ ପରେ ଶ୍ରାଦ୍ଧ ନୀତି ଆରମ୍ଭ ହବ ଏବଂ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସନ୍ଧ୍ୟାଧୂପ ପରେ ତିନିଟି ମହାଦୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିଥାଏ । ରତ୍ନସିଂହାସନ ଆଗରେ ଅରୁଆ ଚାଉଳରେ ଗଛଟିଏ କରାଯିବା ସହ ୨୮ଟି ଦୀପ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିବାର ପରମ୍ପରା ରହିଛି ।
ଜୟବିଜୟ ଦ୍ୱାର ନିକଟରେ ଚାଉଳ ଗଛ ସହ ଦୀପ ସମର୍ପଣ କରାଯାଏ । ଦେବ ଦୀପାବଳିର ଦ୍ୱିତୀୟ ଦିନରେ ବରିଷ୍ଠ ସେବକ, ମଠ ମହନ୍ତ ଓ ବୁଦ୍ଧିଜୀବୀ ଏବଂ ସ୍ୱେଛାସେବୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବ । ପୁଷ୍ପାଳକ ସେବକ ମାନେ ଶ୍ରୀଜିଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି । ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିଧାନ କରିଥାନ୍ତି । କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ । ଦ୍ୱିତୀୟ ଦିନର ଦେବଦୀପାବଳି ଅବସରରେ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସନ୍ଧ୍ୟାରେ ଏକ ଲକ୍ଷ ଦୀପ ପ୍ରଜଳ୍ୱନ କରାଯିବ । ସମ୍ପୂର୍ଣ ବଡଦାଣ୍ଡ ଦୀପମୟ ହୋଇପଡିବ ।












Leave a Reply