ନଭେମ୍ବର ୨୬ରେ ସର୍ବଦଳୀୟ ବୈଠକ; ଶୀତ ଅଧିବେଶନ ପୂର୍ବରୁ ବୈଠକ ଡାକିଲେ ବାଚସ୍ପତି ।

ଅକ୍ଷର ବ୍ୟୁରୋ: ନଭେମ୍ବର ୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ସର୍ବଦଳୀୟ ବୈଠକ । ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ । ବୁଧବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ । ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି । ଏହି ବୈଠକରେ ଶାସକ ଓ ବିରୋଧି ଦଳର ନେତାମାନେ ଯୋଗଦେବେ ।

ସୂଚନା ଅନୁଯାୟୀ, ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ । ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ । ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ । ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ତେବେ ଏହି ଅଧିବେଶନ ବେଶ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ତେବେ ବେଶ ଉଲ୍ଲେଖନୀୟ ଘଟଣା ହେଉଛି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ଗୃହକୁ ସମ୍ବୋଧିତ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)