ମେଘନାଦ ପାଚେରିରୁ ଗଳୁଛି ପାଣି; ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ନେଇ ଏବେ ପ୍ରଶ୍ନ ?

ଅକ୍ଷର ବ୍ୟୁରୋ: ମେଘନାଦ ପାଚେରିରୁ ଗଳୁଛି ପାଣି । ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରିରୁ ଗଳୁଛି ପାଣି । ପାଣି ଗଳିବା ଯୋଗୁଁ ମେଘନାଦ ପାଚେରିରେ ଶିଉଳି ଲାଗିବା ସହ ଅନବରତ ପାଣି ଧାର ବୋହୁଛି । ଗତ ବର୍ଷ ମେଘନାଦ ପାଚେରି ମରାମତି ହୋଇଥିଲା । ମରାମତି ପରେ ବି ସମାନ ଭାବେ ପାଣି ଗଳୁଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ଅବହେଳାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାମଦୟା ପରିଷଦର ଠିକ୍‌ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍‌ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ସମ୍ଭବତଃ ଏହା ଯୋଡ଼େଇକୁ ପ୍ରଭାବିତ କରୁଥିବା ଜଳଜଳ ବାରି ହୋଇପଡ଼ୁଛି । ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରୁଥିବା ନିଃସନ୍ଦେହ ।

୨୦୨୧ ମସିହାରୁ ଏହି ସମସ୍ୟା ଉପୁଜିଛି । ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଆଉ ଗୋଟେ ବାହ୍ୟ ପାଚେରି ନିର୍ମିତ ହୋଇଥିଲେ ସୁଦ୍ଧା ମେଘନାଦ ପାଚେରି ମରାମତି କରାଗଲା ନାହିଁ । ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ବେଢ଼ାକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ବ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଉପରେ ନ୍ୟସ୍ତ। ମେଘନାଦ ପାଚେରିର ଏତାଦୃଶ ସ୍ଥିତିକୁ ନେଇ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିବା ପରେ ଏଏସ୍‌ଆଇର ବୈଷୟିକ ଟିମ୍‌ ସର୍ଭେ କରିଥିଲା । ବିପଦ ଥିବା ଅନୁଭବ କରି ତୁରନ୍ତ ଏହାର ମରାମତି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ତ୍ୱରିତ ଶିଉଳି ଛଡ଼ାଯାଇ ଗ୍ରାଉଟିଂ କରାଗଲା । ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦବଜାର ଡ୍ରେନ୍‌ରୁ ଯେଉଁ ଫାଟ ଓ ଗର୍ତ୍ତ ଦେଇ ପାଣି ମେଘନାଦ ପାଚେରି ଭେଦୁଥିଲା, ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା । ଆନନ୍ଦବଜାର ହାତଧୁଆ ସ୍ଥଳରୁ ମେଘନାଦ ପାଚେରିରେ ଏକ ଅସ୍ଥାୟୀ ପ୍ଲାଷ୍ଟିକ୍‌ ପାଇପ୍‌ ଲଗାଇ ଏହି ପାଣିକୁ ଶ୍ରୀମନ୍ଦିର ବାହାର ଡ୍ରେନ୍‌କୁ ଛଡ଼ାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)