ଅକ୍ଷର ବ୍ୟୁରୋ: ନୂଆବର୍ଷରେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନିଷ୍ପତ୍ତିକୁ ବିରୋଧ । ଇଂରାଜୀ ନୂଆବର୍ଷରେ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଶ୍ୱ ହିନ୍ଦୁ ପରିଷଦ । ଓଡ଼ିଆମାନେ ରାଷ୍ଟ୍ରୀୟ ପଞ୍ଚାଙ୍ଗ ତିଥି ଅନୁସାରେ ନୂଆବର୍ଷ ପାଳୁଛନ୍ତି । ଏଣୁ ଇଂରାଜୀ ନବବର୍ଷ ପାଇଁ ବିଶ୍ୱର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏଭଳି ରାତି ଅନିଦ୍ରା ନ ରଖିବାକୁ ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ନିବେଦନ କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ମହେଶ କୁମାର ସାହୁ ଏ ସଂପର୍କରେ ଗଜପତି ମହାରାଜା, ଆଇନମନ୍ତ୍ରୀ, ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କୁ ଚିଠି ଲେଖିଛନ୍ତି ।
ଏନେଇ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସଭାପତି ତଥା ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗ୍ରହ ଚଳନ ଅନୁସାରେ ପବିତ୍ର ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହୋଇଥାଏ । ଏହିଦିନ ଠାରୁ ନୂଆ ପାଞ୍ଜି ବି ପ୍ରଚଳନ ହୋଇଥାଏ । ଇଂରାଜୀ ନବବର୍ଷ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ପାଳନ ହେଉଛି । ଏହା ବ୍ରିଟିଶମାନଙ୍କ କ୍ୟାଲେଣ୍ଡର । ଆମେ ସ୍ୱାଧୀନତାର ଏତେ ବର୍ଷ ପରେ ବି ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ନବବର୍ଷ ପାଳନ କରିବା ଦୁର୍ଭାଗ୍ୟଜନକ । ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଛନ୍ତି, ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସନାତନୀ ହିନ୍ଦୁଙ୍କ ଆସ୍ଥା ତଥା ଆରାଧ୍ୟ ଠାକୁର । କେଉଁ ଆବହମାନ କାଳରୁ ମହାପ୍ରଭୁଙ୍କ ସକଳ ପରମ୍ପରା ସନାତନ ଧର୍ମ ଶାସ୍ତ୍ର ଅନୁଯାୟୀ ଅନୁଷ୍ଠିତ ହୋଇ ଆସୁଛି । ଏଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଏଭଳି ଦର୍ଶନ ବ୍ୟବସ୍ଥା ବନ୍ଦ କରି ସକାଳୁ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ଆଚାର୍ଯ୍ୟ ନିବେଦନ କରିଛନ୍ତି ।











Leave a Reply